ଝାଡୁ – ଗୌରହରି ସାହୁ

Views: 17
0 0
Read Time:4 Minute, 17 Second

ମୋ ସୁନାଝିଅ ଲୋ ଶାଶୁଘରେ ମୋର
କଥା ରଖିଥିବୁ ମନେ
ବାପା ମାଆ ନାଆଁ ପକାଇବୁ ନାହିଁ
ତଳେ କେବେ ହେଲେ ଦିନେ।୧
ଗୃହୋପକରଣେ ଝାଡୁ ମୂଲ୍ୟବାନ
ସ୍ଥାନ ତା ଐଶାନ୍ୟ କୋଣେ
ରଖିଵୁ ଯତନେ କଵାଟର କଣେ
ନ ଫିଙ୍ଗିବୁ ଏଣେ ତେଣେ।୨।
ଆଚାରରେ ଲକ୍ଷ୍ମୀ ବିଚାରେ ପଣ୍ଡିତ
ଏହି କଥା ଅଛୁ ଶୁଣି
ଘର ପରିଷ୍କାର ମନ ପରିଷ୍କାର
ଦେଖିଥାଏ କମଳିନୀ ୩।
ଗୃହ ପରିଷ୍କାର କରିବା ପାଇଁକି
ଲୋଡ଼ା ହୁଏ ସମାର୍ଜନୀ
ମନର ମଇଳା ସଫା ହୋଇ ଥାଏ
ଶୁଣି ଶୁଣି ନୀତି ବାଣୀ।୪
ଝାଡୁକୁ ଗୋଡରେ ଆଡେଇ ଦବୁନି
ହେବ ତାର ଅପମାନ
ସେ ଏକ ସଜ୍ଜନ ସବୁରି ସଦନ
ପାଇ ଥାଏ ଟି ସମ୍ମାନ।୫।
ରାତ୍ରକାଳେ ଝାଡୁ କରିବୁନି ଘର
ପଖାଳିବୁ ନାହିଁ କେଶ
ଅଳିଆ ବାହାରେ ଫିଙ୍ଗିବୁ ସକାଳେ
ଯାହାଥିବ ଅବଶେଷ। ୬।
ଝାଡୁ ଦେବ ନାହିଁ କେ ଟିକେ ମାଗିଲେ
ଯିବେ ଘରୁ ଲକ୍ଷ୍ମୀ ଛାଡି
ଝାଡୁଟି ଘରର ଜାଗ୍ରତ ପ୍ରହରୀ
ଅଶୁଭ ପାରେନା ମାଡି।୭।
କୁନି ଛୁଆ ଶେଯେ ଝାଡୁକୁ ଛିଣ୍ଡାଇ
ପକାଇ ଥାଏ ତା ମାଆ
ଡାହାଣୀ, ଚିର୍ଗୁଣୀ ଡର ତ ନଥାଏ
ଝାଡୁ ହୋଇଥାଏ ସାହା।୮ ।
ଝାଡୁରେ କାହାକୁ ବାଡାଇବ ନାହିଁ
ଦେହୁ ଶିରି ତୁଟିଯାଏ
ଶୀତଳା ଦେବୀଙ୍କ ପ୍ରଧାନ ଆୟୁଧ
ଦକ୍ଷ କରେ ଶୋଭା ପାଏ।୯।
ପୁରୁଣା ଝାଡୁକୁ ଫିଙ୍ଗି ଦେବ ନାହିଁ
ଉଜାଇ ଦେବ ଜଳରେ
ଝାଡୁ ଦେବ ନାହିଁ ଘର କରଣାରେ
ଝିଅ ଗଲେ ଶାଶୁ ଘରେ।୧୦।
ପୁରୁଣା ଘରର ଝାଡୁ ନେବ ନାହିଁ
ନୂଆ ଘରେ ଯେବେ ଯାଉ
ଶନିବାର ଦିନ ଝାଡୁ କ୍ରୟ କଲେ
ଲାଗେନା ଶନିଙ୍କ ଦାଉ।୧୧।
ଛାଞ୍ଚୁଣୀ କାହାଣୀ କେ ଅବା ଜାଣିନି
ଶ୍ରୀମତୀଙ୍କ ସମାର୍ଜନୀ
ମଦ ବୈତରଣୀ ଆଉ ଉଛୁଳୁନି
ମଦୁଆ ଥଣ୍ଡା ହେଲେଣି।୧୨।

ଗୌରହରି ସାହୁ
ଏକଡାଳ,ନରସିଂହପୁର,କଟକ

Share this :
Next Post

କୁନା ହେଲା ସୁନା ପିଲା(ଶିଶୁ କବିତା) - ସୁସ୍ମିତା ଶତପଥି

ଖେଳ ଛୁଟି ବେଳେ କୁନା ଭାବେ ମନେ ସ୍କୁଲ ରୁ ଯିବ ପଳାଇ ସାଙ୍ଗସାଥୀ ମେଳେ ହେବ କେତେ ଖେଳ ପାଠରୁ କି କିଛି ମିଳଇ। ନଟିଆ ଗାଆଁ ରେ ଭାଲୁ ନାଚ ହୁଏ ରେ ଦେଖିଲେ ମିଳିଵ ମଜା ଖୁସି ରେ ନାଚିଵ ଖେଳଟା ଜମିବ ସତେକି ଗୋଟିଏ ରଜା। ଭାଲୁନଚା ଦେଖି ମନ ଗଲା ଲାଖି ସଞ୍ଜ ଆସିଗଲା ନଇଁ ଅନ୍ଧାର ରାତିରେ ଛନକା ଛାତିରେ କାନ୍ଦିଲା […]

Subscribe US Now