ବନ୍ଦୀ_ମୁଁ_ଅଭିଷ୍ଟ_ଦ୍ବାରେ – ଜ୍ୟୋତିର୍ମୟୀ ସାହୁ

Views: 9
0 0
Read Time:8 Minute, 13 Second



ଅଭିଳାଷ ଏକ ଚିରସ୍ରୋତା ନଦୀ
ପ୍ରବାହରେ ନଥାଏ ଲକ୍ଷର ଅନ୍ତର୍ଧ୍ବନୀ
ସେ ପ୍ରଦେଶରେ ନିଜକୁ ଦିଏ ହଜେଇ
ଭାବାବେଗର ଆବେଶରେ ଛନ୍ଦି ହୋଇ
ନିର୍ଝରିଣୀ ସିନା ଶେଷେ ସାଗରେ ଯାଏ ମିଶି
ହେଲେ ଏ ଏକ ଅସରନ୍ତି ସ୍ରୋତର ନଦୀ
ଯାଏ କୂଳ ଲଙ୍ଘି ଲଙ୍ଘି
ନା ପାଏ ଆତ୍ମ ତୃପ୍ତି
ତଥାପି ଶୋଷ ମେଣ୍ଟେନା ଯେତେ ମିଳେ ଅଭିଷ୍ଟ ମୁଣି ।

କିଏ ପିନ୍ଧାଇଛି ଏ ଆସକ୍ତିର ବେଡି
ନା ଏ ଆଶାର ଦିଗନ୍ତ ବ୍ୟୋମ ପକ୍ଷୀ
ମନର ଆବେଳନକୁ ମିଳେନା ଚରମ ଶାନ୍ତି
ଏକ ପରେ ଆରେକ ଥାଇ
ଯେହ୍ନେ ରବି ଅସ୍ତେ ଆସେ ଶଶୀ
ଜ୍ୟୋସ୍ନାରେ ଭିଜିବା ପରେ ବି ମନ ଖୋଜେ ତାତି
ପୁଣି ଉଷ୍ମତାର ଜ୍ଜ୍ବଳନ ପରେ ଆବଶ୍ୟକ ହୁଏ ରାତି
ଏ ପ୍ରକୃତିର ଚକ୍ରବ୍ୟୁହ କି ଇଚ୍ଛାର ପ୍ରଖର ଭଉଁରୀ

ଯେଉଁ ଅଭିଳାଷ କଲା ଦେବକୀକୁ କାରାବନ୍ଦୀ
ସେହି ଅଭିଳାଷ ପୁଣି ରଚିଲା ଅନ୍ୟାୟର ପଶାପାଲି
ସେହି ସୁଅର ଅଭିଷ୍ଟକୁ ଚରିତାର୍ଥ ପାଇଁ
ଦେହ ଧରେ ଅବତାରୀ
ଏ ସେହି ଅଭିଳାଷର ମୋହିନୀ ବାଣୀ
ଯେଉଁ ଇଚ୍ଛା ଆଗେ ବକ୍ଷେ ଭେଦିଲା ତରବାରୀ
ସେ ଅଶାନ୍ତ ସାଗର ବି ଗାଇଲା ରାମାୟଣର କାହାଣୀ
ପୃଷ୍ଠା ପରେ ପୃଷ୍ଠା ଭିଜିଗଲା ତୁଣୀରର ରକ୍ତେ ରଞ୍ଜିତ ହୋଇ
ତଥାପି ସେ ଅଭିଳାଷେ ଝାସ ଦେବାରେ ମିଳେ
ଅନ୍ତିମ ଆତ୍ମତୃପ୍ତି ।

ଯେଉଁ ଅଭିଷ୍ଟ ରାଜଦରବାରେ ଉଲଗ୍ନ କା ସତୀତ୍ବର ଓଢଣୀ
ସେଠି କେଉଁ ଅଭିଳାଷେ ନ୍ୟାୟର ମୋକ୍ଷ ଖୋଜେ ମୁକ୍ତିକାମୀ
ଯେଉଁ ରଣଭୂମିର ଅଭିଳାଷ ଦେଲା
ସଂପର୍କକୁ ବିପକ୍ଷେ ଠିଆ କରାଇ
ସେଠି କେଉଁ ସଂପର୍କର ଦ୍ବାହିରେ
ଗର୍ବର ଆଶ୍ବାସନା ଖୋଜେ ଅଭିଳାଷୀ
ଯେଉଁ ଅଭିଳାଷ ବାଧ୍ୟ କଲା ସ୍ବୟଂଭୁଙ୍କୁ ଗରଳ ପାନ ପାଇଁ
ସେଠି କେଉଁ ସ୍ବାର୍ଥପରତାର ପରିଚୟ ମାଗୁ
ନିଜକୁ ନିର୍ବୋଧ କରି
ଏ ଅଦୃଶ୍ୟ ବାସନାରେ ଘୁରିବୁଲେ ଭ୍ରମିତ ଭ୍ରମର ପରି
କେବେ ସେ ଅଗ୍ନିରେ ଝାସ ଦେଇ ଆସୁ ବିବେକକୁ ହରାଇ ।

ଏ ଧରାବକ୍ଷ ନୁହେଁ ରଙ୍ଗମଞ୍ଚ, ଏ ଅଭିଳାଷର ମଞ୍ଚ
ସଭିଏଁ ଚରିତ୍ର ଧରନ୍ତି ସ୍ବ ଅଭିଳାଷକୁ ଚରିତାର୍ଥ ଦେବା ପାଇଁ
ସେ ରଙ୍ଗଲଗା ମୁହଁ ପାଖେ ବିଶ୍ବାସ ବି ଯାଏ ଶଙ୍କି
ପରଦା ପଛେ କାମନା ଦେଉଥାଏ ଅଟ୍ଟହାସ୍ୟ କରି
ସେ ମଞ୍ଚ ତଳେ ନିରବଚ୍ଛିନ୍ନ ଦର୍ଶକ ମାଳ ମାଳ ଖାଲି
କୋଳାହଳରୁ ବି ଉକୁଟୁଛି ବାସନାର ଦୁର୍ଗନ୍ଧର ବାରି
ମୋହର ମାୟା ନଗରୀରେ ତୁଚ୍ଛ ମଣିଷ ଦେହଧାରୀ
କିପରି ଆକର୍ଷଣରୁ ବର୍ତ୍ତିବ ଯେବେ ମନର ପଙ୍କେ ପାଦ ଯାଏ ଖସି।

ମୁଁ …ଏ ମୁଁ… ରେ ହିଁ କେତେ ଆକର୍ଷଣ ,
ମୁଁ….. ଅଟକି ଯାଏ ମୋ ପାଖରେ
ମୋ ଅନ୍ତରର ମନ ପ୍ରଦେଶରେ
ମୁଁ…., ମୋର ହିଁ…. ,ମାତ୍ର ଏକ ପ୍ରୟୋଜନ
ଏ ଆକର୍ଷଣ ନା ମୋହ ନା ଆସକ୍ତିର ଚିହ୍ନ
କେଉଁ ଅହଙ୍କାରର ସ୍ରୋତେ ଭାସିଯାଏ
ମୋର ଅସ୍ତିତ୍ବକୁ ଦେଇ ପ୍ରାରବ୍ଧ ହାତେ
ଶିଖରର ଉଚ୍ଚାସନେ ଦେଇ ସ୍ଥାନ
ପିନ୍ଧାଇ ମୁକୁଟ ଗୁରୁତ୍ୱର ।

ବନ୍ଦୀ ମୁଁ ଅଭିଷ୍ଟ ଦ୍ବାରେ ଆଜି ହୋଇ ନିରୂପାୟୀ
ମାଦକତାର ମତୁଆଲୀ ଇଚ୍ଛାରେ ନିଜକୁ କରି ଦୋଷୀ
ସେ ପୋତର ଜଳଯାତ୍ରା ବି ଦିଏ ସୁଖର ଇନ୍ଦ୍ରପୂରୀ
ଏ ବନ୍ଧନରୁ ମୁକ୍ତି ଚାହେଁ ନାହିଁ ମୋ ମନ ପକ୍ଷୀ
ନା କେବେ ଥକି ପଡେ ଉଚ୍ଚାକାଶେ ଡେଣା ମେଲି ମେଲି
ତଥାପି ବାକି ରହିଯାଏ ଆଶା
ଚରମ ସୁଖକୁ ପାଇ ବି
ପୁଣି ଆରମ୍ଭ ହୁଏ ଅନ୍ୟ ଏକ ଯାତ୍ରାର ସବାରୀ ,
ଭିନ୍ନ ଏକ ଅଭିଳାଷକୁ ରୂପ ଦବା ପାଇଁ
ତା ଗଭୀର ଗଣ୍ଡରେ ଲମ୍ଫଦେବା ପାଇଁ ଅନ୍ଧ ହୋଇ ।
ଜ୍ୟୋତିର୍ମୟୀ ସାହୁ

Share this :
Next Post

ଅନୁଚିନ୍ତା - ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

ଷଢେ଼ଇକଳା ଓ ଖରସୁଆଁ ଗଲା ସିଂହଭୂମି କାଳିମାଟି, ବୀଜୟନଗର ବିଶାଖାପାଟଣା ଆନ୍ଧ୍ର ସୀମାରେ ରହିଛି । କୋଟୀଆ ସହିତ ସୀମାବର୍ତ୍ତୀ ଗ୍ରାମେ ଆନ୍ଧ୍ର ଆସୁଅଛି ପଶି ଝାଡ଼ଖଣ୍ଡ ଆଉ ପଶ୍ଚିମବଙ୍ଗବଙ୍ଗ ବି ଓଡ଼ିଶା ସୀମା ଲଙ୍ଘୁଛି । ଠକିନିଏ କିଏ ପାଦତଳୁ ମାଟି ପାଣି ଖଣି ଓ ଖାଦାନ ଅସୁରକ୍ଷ ‌ହୁଏ ବେଳା ଉପକୂଳ ପଦା ଚରାଭୂମୀ ବନ । ଅନୁପାଳୁ ଜନ ରାଷ୍ଟ୍ରୀୟ ମର୍ଯ୍ୟାଦା ପରାକ୍ରମ ସରହଦେ ଜବରଦଖଲ […]

Subscribe US Now