ଗାଁକୁ ଆସିଲେ – ଡଃ ପଦ୍ମଲୋଚନ ରାଉତ

Views: 11
0 0
Read Time:5 Minute, 55 Second

ଗାଁକୁ ଆସିଲେ ଲାଗେ ଖାଁ ଖାଁ
ଆଉ ନାହିଁ ସ୍ନେହ ମମତା ଡୋର
ଗାଁ ଦାଣ୍ଡେ ନାହିଁ ବାଲି ଗୋଡି ଧୂଳି
ଶୁଭୁ ନାହିଁ ଯୋଗୀ କେନ୍ଦରା ସ୍ୱର
ତଥାପି ହସୁଚି ଗାଁ
ଯେଉଁଠି ଥିଲେ ବି ଭାରି ଭଲ ଲାଗେ
ତା’ରି ମଧୁର ନାଆଁ l 1

ଘରେ ଘରେ ଟିଭି ମଟର ବାଇକ
ପ୍ରତି ହାତେ ମୋବାଇଲ
ଗ୍ୟାସରେ ବୋହୁ ରୋଷେଇ କରୁଛି
ପାଶୋରି ଗଲାଣି ଚୁଲି
ଆଉ ନାହିଁ ହାଣ୍ଡି ଶାଳ
ବଙ୍ଗଳାରେ ଶୋଭା ଡାଇନିଂ ଟେବୁଲ
ବିରିୟାନୀ ମାଂସ ଝୋଳ
ତଥାପି ହସୁଚି ଗାଁ
ପ୍ରବାସରେ ଥାଇ ନୀରବେ ଶୁଣୁଛି
ଆ ମୋ କୋଳକୁ ଆ l 2

ହଳ ଲଙ୍ଗଳର ଦେଖା ନାହିଁ ଆଉ
ଟ୍ରାକ୍ଟର ଚସୁଚି କ୍ଷେତ
ଆଉ ଶୁଭୁନାହିଁ ଗହୀର ପାଟରେ
ହଳୁଆର ହଳ ଗୀତ
ତଥାପି ହସୁଚି ଗାଁ
ଭାଇ ପାଲଟିଛି ଭାଇର ବଇରୀ
କୋର୍ଟ କଚେରୀ କିଆଁ ? 3

ସେ କାଳ ପଖାଳ ହେଲାଣି ସପନ
ନାହିଁ ଶାଗ ବଡି ଚୁରା
ଡାମରା କାଉର କା’ କା’ ଡାକେ
କୁଣିଆ ଆସୁନି ପରା
ତଥାପି ହସୁଚି ଗାଁ
ମଣ୍ଡା, ଗଇଂଠା, ଚକୁଳି, ଏଣ୍ଡୁରି
ଲାଗୁନାହିଁ ସୁଆଦିଆ l 4

ଝାଟି ମାଟି ଘର ନଡା ଛପର
ଦିଶୁ ନାହିଁ ଆଉ ଏଠି
ଇନ୍ଦିରା ଆବାସ କେତେ ପକ୍କା ଘର
ନାହିଁ ଭାଗବତ କୋଠି
ତଥାପି ହସୁଚି ଗାଁ
ପ୍ରବାସରେ ଥାଇ ଭୁଲି ପାରୁ ନାହିଁ
ଏଇ ଗାଁ ମୋର ମାଆ l 5

ଗାଁ ସୀମନ୍ତିନୀ ମନ୍ଦିର ବେଢାରେ
ଆଉ ଜାଳୁ ନାହିଁ ଦୀପ
ଶାଢ଼ୀ ଭୁଲି ଏବେ ନାଇଟି ପିନ୍ଧି ସେ
ତୁଠେ କରେ ଗପ ସପ
ଗଲାଣି ସିନ୍ଦୂର ଭୁଲି
ଟିକିଲି ନାଇ ସେ ଫେଶନ ସଜାଏ
ଓଠେ ଲିପିସ୍ଟିକ ନାଲି
ତଥାପି ହସୁଚି ଗାଁ
ସବୁଜିମା ଭରା ଦୂର ଧାନ କ୍ଷେତେ
ବହୁଛି ଉତ୍ତରା ବାଆ l 6

ଚାଷ ଜମି ଏଠି ପଡିଆ ପଡିଛି
ଗାଁ ପୁଅ ସୁରାଟରେ
ସଞ୍ଜ ସକାଳେ ମନ୍ଦିରରେ ଘଣ୍ଟା
ଶୁଭୁ ନାହିଁ ଧୀରେ ଧୀରେ
କଲେଜ ପଢୁଆ ଝିଅ
ଆଖିରେ ତାହାର ଆଖିଏ ସପନ
ତା କଥା କାହିଁ କୁହ ?
ତଥାପି ହସୁଚି ଗାଁ
ପାଖ ପରବତ ଦୁରକୁ ସୁନ୍ଦର
ଭୁଲି ନାହିଁ ତାର ନାଆଁ l 7

ବିଜୁଳି ଆଲୁଏ ଗାଁ ମୋ ହସୁଚି
ଜଳୁଅଛି ହାଲୋଜିନ
ମିଞ୍ଜି ମିଞ୍ଜି ଡିବି ସପନ ହେଲାଣି
ଲୋଡ଼ା ନାହିଁ କିରାସିନ
ଗାଁ ମୁଣ୍ଡେ ନାଲି ପାଣି
ସହଜେ ମିଳୁଛି ଗାଁ ଦୋକାନରେ
ଟୋକାଏ ପିଅନ୍ତି ଆଣି
ତଥାପି ହସୁଚି ଗାଁ
ମୋ ପିଲାଦିନ ବିତିଛି ଏଇଠି
ଭୁଲି ନାହିଁ ତାର ନାଆଁ l 8

ଡଃ ପଦ୍ମଲୋଚନ ରାଉତ
ଗବେଷକ , ଇଂରାଜୀ ସାହିତ୍ୟ
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା,
ମାଲକାନଗିରି l

Share this :
Next Post

ମାତୃକୃପା - ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

ଜାଣିନାହିଁ ଭକ୍ତି ଆରାଧନା ସ୍ତୁତି ଅବୋଧ ତୋର ସନ୍ତାନ ଅଭୟ ଶ୍ରୀପଦେ ହାତ ଦୁଇ ଯୋଡ଼ି କରୁଛି ମା ନିବେଦନ । ମହାଯଜ୍ଞ ପୁର ଭାବାବେଗ ତୀବ୍ର ମନ ପବନ ସମାନ ଆଦର୍ଶ ସଙ୍କଳ୍ପ ସତ୍ୟ ସଦାଚାରେ ଏକାଗ୍ର ହେଉ ପରାଣ । ମାତା ପାଦପଦ୍ମେ ହେଉ ସମର୍ପିତ ଜୀବନ ଧରମ କର୍ମ ଗରୀୟସୀ ମାତା ସ୍ୱରଗ ଠାରୁ ବି ପରମେଶ୍ୱରୀ ମହାନ । ସ୍ଥାବର ଜଙ୍ଗମ ଜଡ଼ ପ୍ରାଣେ […]

Subscribe US Now