ଇଛା ଆଉ ଆଶା ସଫଳ ହୋଇଲା – ସୁକାନ୍ତ ଖଣ୍ଡା

Views: 9
0 0
Read Time:5 Minute, 57 Second

ସିଏ ଥିଲା ଖୁବ୍ ଦୁଃଖୀଟିଏ

ଦୁଃଖୀଟିଏ ବୋଲି ତ

ଖାଇବାକୁ ଡହଳ ବିକଳ

ଦିନେ ଦେଖା ହେଲାବେଳେ

ପେଟ ଦେଖେଇଲା,ଦୁଇ ହାତ ଯୋଡି଼-

ବୁଝିଲି ଭୋକିଲା ରହିଛି

ଖିନଭିନ୍ ଦେହ,ମନ ଓ ବିବେକ

ତା’ର ଯେମିତି

କିଲବିଲ୍ ହେଉଛି।

ତାକୁ କହିଲି

ଭାଇ !

କଥାଟେ କହିବି ରଖିବ

ମୁଣ୍ଡ ଟୁଙ୍ଗାରିଲା ତ

ବଢା଼ଇ ଦେଲି ସହୃଦୟତାରେ

କେଇପଟ ରୁଟି ଓ ସନ୍ତୁଳା।

ସେ ଖାଇଲା,କୃତାର୍ଥ ଲଭିଲା

ଆଉ ଧନ୍ଯବାଦ ଦେଇ ଚାଲି ଗଲାବେଳେ

ଅଟକାଇ କହିଲି

ଭାଇ !

ଅଭାବରେ ସ୍ବଭାବ ନଷ୍ଟ

ଏହା ତ ନିତ୍ଯ ନୂତନ

ଏଣୁ ଦୁଃଖ କରିବନି

କିନ୍ତୁ ମୁଁ ଆପଣଙ୍କୁ

କିଛି ଅର୍ଥ ଦେଉଛି

ଯାହା ସମୁଦ୍ରକୁ ଶଙ୍ଖେ ହୋଇପାରେ

ତଥାପି ଭାବୁଛି କି

କୋଟିଏ ମଣି ଗ୍ରହଣ କରିବ

ଆଉ ଆଜି ପରି

ଆଉ କାହାକୁ ଯେମିତି ମାଗିବା ଭୁଲିବ

ଆପଣଙ୍କୁ ଯେଉଁ ଖାଇବା ଦେଲି

କେବଳ ଆଜି ହିଁ

ପେଟ ପୂରାଇଲା

ଆଉ କିଛିକ୍ଷଣ ପରେ ପୁଣି

ଭୋକ ତ ଲାଗିପାରେ,ଲାଗିବ ବି-

ମୁଁ ଚାହୁଁନି କି ଆଉ କାହାକୁ ଆପଣ

ପେଟକୁ ଦେଖାନ୍ତୁ କି

ହାତପାତି ଖାଇବା ମାଗନ୍ତୁ

ଏଇ ଯେ ମୋ’ର

ସାମାନ୍ଯ ଉପହାର ଗ୍ରହଣ କରି

କର୍ମ ସମ୍ପାଦନ କରିବାକୁ ନିବେଦନ

ନିଜ ଗୋଡ଼ରେ ଠିଆ ହେଲେ

ଭାବିବି କି

ମୋ’ର ଇଛା ଆଉ ଆଶା

ସଫଳ ହିଁ ହେଲା।

ମୁଁ ଚାଲିଗଲି ତା’ ପାଖରୁ

ସେ ପଛପଟୁ ଦୁଇହାତ ଯୋଡି଼

ଆଣ୍ଠେଇ ପଡି଼ ବୁହାଇ ଦେଲା

କେଇ ଟୋପା ଲୁହ

ଯାହାକୁ କିଣି ହୁଏନି ବଜାରରୁ ।

କିଛିବର୍ଷ ପରେ

ହଠାତ୍ ଦେଖା ହେଲା ତ

ମୋତେ ଆଣ୍ଠୁମାଡି ମୁଣ୍ଡିଆ ମାରି

ପରିଚୟ ଦେଇ କହିଲା

ପ୍ରଭୁ !

ଏଇ ଯେ ଦେଖୁଛନ୍ତି

କୋଠା ଆଉ ବ୍ଯବସାୟ

ସବୁ ଆପଣଙ୍କର

ଆପଣ ସେଦିନ ପେଟ ପୂରାଇ

ଛାଡି ଦେଇ ଚାଲି ଯାଇଥିଲେ

ମୁଁ ପୁଣି ହୁଏତ

କାହାକୁ ମାଗିଥାନ୍ତି ଖାଇବା

ଆଉ ଦରିଦ୍ରତାର ସେଇ କଷାଘାତେ

ନିତି ସଢୁଥାନ୍ତି

ହେଲେ ଆପଣ ମୋତେ

ପେଟକୁ ତ ପୂରେଇ ଦେଲେ

ବଞ୍ଚିବାର ମାଧ୍ଯମ ବି ଦେଖାଇଲେ।

ସେ କଇଁକଇଁ କାନ୍ଦିଲା

ହୃଦୟରେ ଥିଲା

ଯେମିତି ଭଗବାନଙ୍କ ପ୍ରତି

ଅସୀମ ଶ୍ରଦ୍ଧା,ଭକ୍ତି ଓ ସମ୍ମାନ।

ମୁଁ ତାଙ୍କୁ କୁଣ୍ଢାଇ ଧରିଲି

ଇଛା ଓ ଆଶା ସଫଳ ହୋଇ ଥିବାରୁ

ଈଶ୍ବରଙ୍କୁ ଶତକୋଟି ପ୍ରଣାମ ଓ

ଦେଲି ଧନ୍ଯବାଦ

ମୋ’ର ହୃଦୟ ନାଚୁଥିଲା

ଯେମିତି ସମୁଦ୍ରର ଲହଡି଼

ଆକାଶର ଦିକିଦିକି ତାରା

ଅବା ଦୂର ଦିଗବଳୟ ଯେମିତି

ପ୍ରତିକ୍ଷଣ ରୂପ ବଦଳେଇ ନାଚୁଥାଏ ।

ସୁକାନ୍ତ ଖଣ୍ଡା

ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର

Share this :
Next Post

ବେତାଳ ତାଳ - ଶ୍ରୀ ଭରତ ବନ୍ଧୁ ବିଶ୍ବାଳ

କନକଲତା ରଙ୍ଗବତୀ ସୁର ତାଳେ ବେଦମ ନାଚିଲା । ଦେଖିଲା ବି ରଜା ସପନ, ଏକା ଏକା ନିଶାର୍ଦ୍ଧରେ ଚାଲୁଛନ୍ତି ରାଜା ବିକ୍ରମାର୍କ, ପିଠିରେ ଓହଳି ପ୍ରଶ୍ନ କରୁଛି ବେତାଳ । “ରାଜନ! ମୁଁ ତ ଅଶରିରୀ, ନାହିଁ ମୋର ଆକାର ପ୍ରକାର, ପୁଣି ତୁମ ସହ ଏକାନ୍ତରେ ଏତେ ସବୁ ଆଳାପସଳାପ, ସତକୁହ ! ତୁମର ମୁଁ କେତେ ଆପଣାର । ସମ୍ପୂର୍ଣ୍ଣ ଭାର ତ ମୋର ବହନ […]

Subscribe US Now