ମୋ ପ୍ରିୟ ଗାଁ – ଜନ୍ମଜୟ ନାୟକ

Views: 33
0 0
Read Time:4 Minute, 23 Second

ନୀଳାମ୍ବୁ ଚିଲିକା କୂଳେ ମୋର ଗାଁ ଟି ,
ଆଳୁପାଟଣା ଅଟେ ତା’ର ନାମଟି ।
ସହରର ବାସନା ଠୁଁ ବହୁ ଦୂରେ,
ସୁଖଶାନ୍ତି ଭରିଛି ମୋହରି ଗାଁ ରେ ।୧।

ଗାଁ ର ପ୍ରାକୃତିକ ଦୃଶ୍ୟ ମନୋରମ,
ମୋର ଗାଁ ଟି ମୋ ପାଇଁ ସରଗସମ ।
ବାବା ଚଉବରଙ୍କ ଆଶିଷ ବାରି ,
ଭକତଙ୍କ ଶିରେ ପଡୁଥାଏ ଝରି ।୨।

ସେ ବାବା କରନ୍ତି ସଙ୍କଟ ହରଣ,
ନିଃସନ୍ତାନ କୋଳ କରନ୍ତି ପୂରଣ ।
ଭକତି ଭରେ ପୂଜି ତାଙ୍କର ପୟର,
ଜୀବନୁ ଦୁଃଖ ଶୋକ ହୁଏ ଦୂର ।୩ ।

ଚଉବରଙ୍କର ମହିମା ଅପାର ,
କି ଗୁଣ ଗାଇବି ମୁଁ ଅଧମ ନର ।
ସେହି ତପସ୍ୱୀ ଥିଲେ ସିଦ୍ଧ ପୁରୁଷ,
ସରିବନି ତାଙ୍କରି କୀରତି ଯଶ ।୪।

କମ୍ପେ ସେହି ପୀଠ ନାମ ସଂକୀର୍ତ୍ତନେ,
ସକାଳେ ସନ୍ଧ୍ୟାରେ ଭକତି ଭଜନେ ।
ଶୁଣିଥାନ୍ତି ଡାକିଲେ ଭକତି ଭରେ ।
ବାବା ପରା ବନ୍ଧା ଭକତି ଭାବରେ।୫।

ଘନ ବନାନୀ ଗାଁ କୁ ରହିଛି ଘେରି,
ଶୋଭା ବଢ଼ାଏ ମୋର ଗାଁ ର ପୋଖରୀ ।
ସକାଳେ ତା’ ତୁଠେ ହୁଏ ଭିଡ଼ ଭାରି,
ତା’ ସାଥେ ଅଛି ଗାଁ ର ସେନେହ ଡୋରି ।୬।

ଗାଁ ର ଆମ୍ବତୋଟା ପୋଲାଙ୍ଗ ବଣ,
ସୁସ୍ଥ ପରିବେଶର ଅଟେ କାରଣ ।
ନାନାଦି ପକ୍ଷୀଙ୍କର ମିଠା କୂଜନ,
ତୋଷିନିଏ ପରା ସଭିଙ୍କ ମନ।୭।

ପୋଖରୀ ତୁଠେ ଗାଁ ଟୋକାଙ୍କର ଖଟି,
ପର ଆପଣା ମୋର ଗାଁରେ ନାହିଁଟି ।
ନଟୁ ଖେଳ ଗାଁ ଶିଶୁଗଣଙ୍କର ,
ମନେ ଭରିଦିଏ ଆନନ୍ଦ ଅପାର ।୮।

ପୋଖରୀ ଦୂରାଏ ଗାଁ ଜଳ ଅଭାବ,
ମୋ ଗାଁ ରେ ରହିଅଛି ଗାଧୁଆ କ୍ଲବ ।
ଟୋକା ବୁଢ଼ା ଭିଡ଼ ଏଠି ସଭିଙ୍କର,
ଗୁଲିଖଟି ଗପର ଜମେ ଆସର ।୯।

ଗାଁ ଯୁବପିଢ଼ି ଖେଳ ପ୍ରେମୀ ଅଟନ୍ତି ,
ଭଲି ଓ କ୍ରିକେଟ ଖେଳରେ ମଜନ୍ତି ।
ବରଗଛ ମୂଳେ ତାସ ଖେଳ ମଜା,
ସଭିଏଁ ଖେଳୁଥାନ୍ତି ନାତି ଠୁଁ ଅଜା ।୧୦।

ହେ ଜଗତନାଥ କାଳିଆ ସାଆନ୍ତ,
ମୋ ଗାଁ ର ସୁଖଶାନ୍ତି ନହେଉ ଅନ୍ତ ।
ଭାଇଚାରା ଗଣ୍ଠି ରହୁ ମୋର ଗାଁ ରେ,
ସଭିଙ୍କୁ ବାନ୍ଧି ସେନେହ ସିକୁଳିରେ ।୧୧।

ଜନ୍ମଜୟ ନାୟକ

ଆଳୁପାଟଣା
ପୁରୀ

୯୩୩୭୮୦୦୫୬୫

Share this :
Next Post

ଅଡୁଆ ସୂତା - ପ୍ରଣତି ମହାପାତ୍ର

ପ୍ରଶ୍ନବାଣରେ କ୍ଷତାକ୍ତ ଶରୀର ସତ ସଫଳତାର ଶୀର୍ଷ ଛୁଇଁ ବି ହଜିଯାଇଛି କେଉଁ ନର୍ଦ୍ଦମାରେ କେଉଁ ଇଲାକାରେ ପାହାଚ ପରେ ପାହାଚ ଚଢି ଆସିଥିବା ଶିଡି ଗୁଡିକ ଆଜି ଧୋଇଯାଇଛି ଭୂମିରୁ ଭୂମା ଯାଏ ତଳୁ ଉପର ଯାଏ ଚଢିଲେ ତ ଓହ୍ଲେଇବାକୁ ପଡେ ସଫଳତାରେ ଉତ୍ଫୁଲିତ ହୋଇ ଭୁଲିଯାଇଛି ପଥ। ଦାନର ପ୍ରତିଦାନ ଶେଷ ନିଷ୍କର୍ଷ ତାହେଲେ କ’ଣ। ଆତ୍ମସମୀକ୍ଷାର ନିତାନ୍ତ ଆବଶ୍ୟକ ବେଳ ଥାଉଁ ଥାଉଁ ବନ୍ଧ […]

Subscribe US Now