ଭାରି ଭଲଲାଗେ – ଭାରତୀ ରଥ

Views: 23
0 0
Read Time:2 Minute, 33 Second


ଭାରି ଭଲଲାଗେ କେହି ଜଣେ ଯଦି
ଚାହିଁ ବସିଥାଏ ବାଟ
ମନର ଅକୁହା କଥା ବୁଝିଯାଏ
ଖୋଲିବା ଆଗରୁ ଓଠ ।

ଭାରି ଭଲଲାଗେ କେହି ଜଣେଯେବେ
ବୁଝିଥାଏ ଭଲମନ୍ଦ
ତା’ମିଠା କଥାରେ ଭରିଦିଏ ପୁଣି
ବିରସ ମନେ ଆନନ୍ଦ ।

ଭାରି ଭଲଲାଗେ ଆପଣାର ଭାବି
କରେ ଯଦି କେ ଆକଟ
ସେନେହ ଡୋରିରେ ବାନ୍ଧିହୁଏ ମନ
ପୁରିଯାଏ ପୁଣି ପେଟ ।

ଭାରି ଭଲଲାଗେ କେହି ଯଦି କେବେ
ଦିଏ ଛୋଟ ଉପହାର
ମିଳିଯାଏ ସତେ ସରଗର ସୁଖ
ଲାଗେ ଅତି ଆପଣାର ।

ଭାରି ଭଲଲାଗେ କା’କୋମଳ ହାତ
ପୋଛିଦିଏ ଯେବେ ଲୁହ
ଅଶାନ୍ତ ମନଟା ବଶୀଭୂତ ହୁଏ
ଜାଗେ ବଞ୍ଚିବାର ମୋହ ।

ଭାରି ଭଲଲାଗେ କେହି ଯଦି କେବେ
ବୁଝେ ମନତଳ ବ୍ୟଥା
ଇଚ୍ଛାହୁଏ ସତେ ବାଣ୍ଟି ଦେବାପାଇଁ
ନୀରବରେ କେତେ କଥା ।

ଭାରି ଭଲଲାଗେ କେହି ଯଦି କେବେ
ମିଛେ ରୁଷେ ବାରମ୍ବାର
ମନ ଖୋଜିବସେ କେବଳ ବାହାନା
ଗପିବାକୁ ସାଥେ ତା’ର ।

ଭାରି ଭଲଲାଗେ କେ ଯଦି ଢାଳଇ
ହୃଦୟରେ ମଧୁପ୍ରୀତି
ମନ ଫରୁଆରେ ସାଇତା ହୁଏ ସେ
ସାଜି ମିଠା ମିଠା ସ୍ମୃତି ।

ଭାରତୀ ରଥ(ଶିକ୍ଷୟିତ୍ରୀ)
ରଗଡି, ବାଙ୍କୀ, କଟକ

Share this :
Next Post

ପଖାଳ ର ମଜା - ସ୍ମିତା ରଥ

ପଖାଳ ର ମଜା ବାଇଗଣ ପୋଡ଼ା ନିମ କଢ଼ି ପିତା ନଡ଼ିଆ ବରାକୁ ଛୁଇଁ ଆଳୁ ଭଜା ପଖାଳ ର ମଜା ।। ଲେମ୍ବୁ ଲଙ୍କା ଲୁଣଦହି ଟିକେ ମିଶାତୋରାଣି ସାଙ୍ଗକୁଶୁଖୁଆ ର ଭଜାପଖାଳ ର ମଜା ।। ସଜ ହେଉ ଅବା ବାସି ସେ ପଖାଳ ଖରାଦିନେ ରଖେ ତନ ମନ ତାଜା ପଖାଳ ର ମଜା ।। ଶ୍ରୀକ୍ଷେତ୍ର ଆମରସଂସ୍କୃତି ସମ୍ଭାରଟଙ୍କ ତୋରାଣି ବାବିଭିନ୍ନ ପଖାଳବିଭିନ୍ନ ସ୍ୱାଦରଏକତାରେ […]

Subscribe US Now