ଛାଇ ପରି କେହି ଜଣେ – ସୁଜାତ ଷଡଙ୍ଗୀ

Views: 11
0 0
Read Time:5 Minute, 28 Second

କେମିତି କେଜାଣି
କଥା କୁହା ଆଖିଟିଏ
ଖୋଜୁଥିଲା ନିତି
ହଜିଯାଇଥିବା ଫୁଲର ବାସନା
ଖୋଜୁଥିଲା ମନ-ପକ୍ଷୀ
ପବନରୁ ଆକାଶ ଠିକଣା
ତୁମ ସହ ଦେଖା ହେବା ପରେ
ଫର୍ଚ୍ଚା ପୁଣି ହୋଇଗଲା ମନର ଆକାଶ
ନିମିଷକେ ତାରା ସବୁ
ପାଲଟିଲେ କବିତାର କ୍ଷେତ।

ବାଡ଼ବାଗ୍ନି ବ୍ୟାପିଗଲା ପରି
ସଂଚରିଲ ଗୋଟାପଣେ ତୁମେ
ମୋ’ ସମଗ୍ର ଚେତନାରେ
ମୋ’ ସତ୍ତାରେ ପଲ୍ଲଵିତ ହେଲ
କେଉଁ ଏକ ଦୁରନ୍ତ ନିଶାରେ।
କେମିତି କେଜାଣି ଝୁଣ୍ଟି ପଡ଼େ
କଥାକୁହା ଆଖି, ନିରବରେ
ପହଁରୁଥାଏ ଭରା ନଈ ଛାତି
କାଶତଣ୍ଡି ଅରମା ବଣରେ,
ମୋ’ ଅସ୍ମିତାର ଚିତାଭସ୍ମ ତଳୁ
ଖୋଜୁଥାଏ ହଜିଲା ଡଙ୍ଗାର କାତ
ସେତେବେଳେ କିଏ ଛାଇଯାଏ, ମୋ’
ଛମ ଛମ ଦେହତଳେ ମନ ଉଠେ ମାତି।

ଭଲ ପାଇବାରେ ବୟସ
ଏକ ମାପକାଠି ନୁହେଁ ବୋଲି
ଭଲ ପାଇ ହୁଏ
ଭଅଁରକୁ, ଫୁଲକୁ, ଫଗୁଣକୁ
ଜ୍ୟୋତ୍ସ୍ନା ଝରା ଆକାଶକୁ
ବର୍ଷାଭିଜା ଇନ୍ଦ୍ରଧନୁର ସାତରଙ୍ଗକୁ
ସାତଦରିଆ ପାରିର
ଅଜଣା ଲୋକକୁ
ସମ୍ପର୍କ ଗଢ଼ିହୁଏ, ଦେହ ସାରା
ପ୍ରେମର ଅବିର ବୋଳି।

ସମ୍ପର୍କ ତ ଯୋଡି ଦେଲ
ସାକ୍ଷୀ ରଖି ଅଳସୀ ଜହ୍ନକୁ,
ଗାଁ ମୁଣ୍ଡ ଦେବୀ ମନ୍ଦିରରୁ
ଚୁଆ ଓ ସିନ୍ଦୁର ଛୁଇଁ
ଶପଥ ବି ନେଲ ସାତ ଜନମକୁ
ଅପୂର୍ଣ୍ଣରୁ ସମ୍ପୂର୍ଣ୍ଣର
ଗହ ଗହ ସବୁଜିମା ଭିତରେ ବି
ବର୍ଷିଗଲା ବିଶ୍ୱାସର ବର୍ଷା
ମନତଳ କଅଁଳ ମାଟିକୁ
ଛୁଇଁ ଗଲା ପୂର୍ଣ୍ଣତାର ବୈଭବ
ଆଉ ଭରସାର ଜଳ ଟୋପା ଟୋପା।

ସମୟର ପକ୍ଷୀ ସେତ
ଉଡିଯାଏ ଝାଡ଼ି ଦେଇ
ସ୍ମୃତି-ପରଟିଏ ମନର ମାଟିରେ
ପାଇବା ଆଉ ହରାଇବା ତ୍ରିକୋଣ ଭୂମିରେ
ତୁମେ ସିନା ପାଲଟି ଯାଇଛ
ସହାରା ମରୁଭୂମିର କାକ୍-ଟସ ପରି
ସ୍ଥିର ଆଉ ଅବିଚଳିତ
ଯନ୍ତ୍ରଣାର ଇସ୍ତାହାରଟିଏ, ମୁଁ କିନ୍ତୁ
ଯମୁନା କୂଳର ସ୍ଥିର କଦମ୍ବ ବୃକ୍ଷ
ଛମ ଛମ ପାଉଁଜିର ନୃତ୍ୟ
ଚିରକାଳ, ରାଧା ତୁମ
ଶୁଣିବାକୁ ପ୍ରତୀକ୍ଷିତ ସଦା
ନିରବି ଯାଉଥିବା ବଂଶୀର
ତୁମ ବେସୁରା ରାଗିଣୀ।

ତୁମ ସହ ଦେଖା ହେଲା ପରେ
ଛାଇ ପରି କେହି ଜଣେ’
ମୋ ସାଥିରେ ଭାବ ରଖେ ନିତି
ମୋତେ ନିତି ଦେଖୁଥାଏ
ବିମୁଗ୍ଧ ନେତ୍ରରେ
ଠିକଣା ତ ମିଳିଗଲା ମୋତେ
ସାଥିଟିଏ ଲୋଡ଼ା ଥିଲା ବୋଲି
“ଛାଇ ପରି କେହି ଜଣେ”
ମୋ’ ସାରା ସତ୍ତାରେ।

ସୁଜାତ ଷଡଙ୍ଗୀ

ଭଞ୍ଜନଗର

ଗଞ୍ଜାମ

Share this :
Next Post

ଦରକାର ନାହିଁ - ପ୍ରଦୀପ୍ତ କୁମାର ବେହେରା

ଦରକାର ନାହିଁ ମିଥ୍ୟା ପ୍ରତିଶୃତି ଦିଅନା ମିଛ ସମ୍ମାନ ଏକା ଚାଲିବାକୁ ଜୀବନ ପଥରେ ଜନ୍ମାଇ ଛନ୍ତି ଆପଣ ।। ଲକ୍ଷ୍ୟ ପଥରେ ମୋ ଏକା ଚଳିବି ଆସୁ ଯେତେ ବାଧା ବିଘ୍ନ ଦୁର୍ଗମ ପଥକୁ ସୁଗମ କରିବି ଚିତ୍ତକୁ କରିଣ ଦୃଢ଼ ।। ଲୁହ ଯେ ଅଟଇ ଦୁଃଖର ସଂକେତ ହସି ଯାଉଥିବି ପିଇ ସତ୍ୟ ପଥେ ଥିଲେ ସାହା ସବୁବେଳେ ହୋଇବେ ମୋହର ସାଇଁ ।। ଲୋଡା […]

Subscribe US Now