ଆଶା ଅସୁମାରୀ – ସୁଜାତା ଷଡଙ୍ଗୀ

Views: 16
0 0
Read Time:2 Minute, 45 Second

କେମିତି କେଜାଣି ତୁମ ପ୍ରୀତି-ଛାଇ
ଛୁଇଁ ଯାଏ ମୋତେ ଉତ୍ତୀର୍ଣ୍ଣ ସଂଜରେ
ଫୁଲର ମହକ ପରି ବୋଳି ହୋଇଯାଏ
ମୋ ମନର ପ୍ରତି ଅଳିନ୍ଦରେ
ସବୁ ସେଇ ପ୍ରୀତିମଖା ସ୍ମୃତି
ଏକାନ୍ତରେ ଆଜି ଅତି ନିକଟରେ।

ଅପସରି ଯାଉ ବୋଲି ଦୁଃଖ
ଝାପ୍ସା ସଞ୍ଜରେ ଜାଳୁଥିଲି ସଂଜଦୀପ
ଚଉରା ମୂଳରେ
ଯାହା ମାଦକତାଠୁ ବଳିଗଲା
ଅତି ସରାଗରେ।

ମିଳେଇ ଗଲା ପୁଣି ତାହା ଅବିଳମ୍ବେ
ଅସୀମ ଶୂନ୍ୟତାର ଶୂନ୍ୟ ପଞ୍ଜୁରୀରେ
ଅଶେଷ ଅବଶୋଷ ହୋଇ
ବାକି ସବୁ ଯାହା ରହିଗଲା ଯାହା
ମୋ ସତ୍ତାକୁ ନ ଛୁଉଁଣୁ
ଅସମାପ୍ତି କଥା ସବୁ ଯେତେ
ତୁମ ଆଉ ମୋ ଭିତରର
ଝରୁଥିଲା ନିଃଶବ୍ଦ ଶବ୍ଦରେ ।

ଅବୁଝା କେଇ ପଦ କଥା
ସଂଧ୍ୟା ସମୀରର ଅସ୍ପଷ୍ଟ ତରଙ୍ଗରେ
ଶବ୍ଦାୟୀତ ହେଲା ଅସମାପ୍ତ କଥା ସବୁ
ଛାଣି ହୋଇଗଲା ମୋ ହାତ ମୁଠାରେ
କିଏ ସେଇ ଶୀତଳ ସଞ୍ଜରେ
ଛାଇ ପରି କେହି ଜଣେ
ନିତି ଭରିଦିଏ ଏତେ ଉଦ୍-ବେଳନ
ନିଃସଙ୍ଗ ଵେଳାରେ।

କାହାର ଏ ଗଭୀର ଆଲିଙ୍ଗନରେ ମୁଁ
ଏକାକାର ହୋଇ ପିଉଥାଏ
ସେଇ ପରମ ତୃପ୍ତିର ସୁରା
ଚିର କାଳ ପାଇଁ ଆଜି
ଏଇ ସ୍ମୃତି ଝରା ଶୀତଳ ସଞ୍ଜରେ

ସୁଜାତା ଷଡଙ୍ଗୀ

ଭଞ୍ଜନଗର

Share this :
Next Post

ଚେନାଏ ମହକ - ସୁଜାତ ଷଡଙ୍ଗୀ

ତୁମେ ମୋର ଅପାସୋରା ପଥର ଦୂରନ୍ତ ପଥିକ ମୁଁ ତୁମ ନିଷ୍କପଟ ଛାୟାର କୁହୁକ ଥରୁଟିଏ ଛୁଇଁ ଦେଖ ମୋତେ ମାୟା ନୁହେଁ ଛାୟାଟିଏ ମାତ୍ର ରୂପାନ୍ତରିତ ସ୍ଥାଣୁ ମୂର୍ତ୍ତିଟିଏ ଫେରି ଦେଖ ଥରେ ମୁଁ ସେଇ ଅସ୍ତଗାମି ସୂର୍ଯ୍ୟର ନିଷ୍ପ୍ରଭ ଆଲୋକ ଅନାହତ ହୃଦ କନ୍ଦରରେ ଶୂନ୍ୟ ଶବ୍ଦର ପ୍ରତିଧ୍ୱନିଟିଏ I ମୁଁ ତୁମ ପ୍ରତିଟି ରାତିର ସ୍ୱପ୍ନ ସକାଳର ସ୍ନିଗ୍ଧ ଆଲୋକରେ ଶୂନ୍ୟରେ ଉଭେଇ ଯାଉଥିବା ଅପ୍ରକାଶ୍ୟ […]

Subscribe US Now