ଉତ୍କଳ ପ୍ରଦେଶ ମୋର – ଅଜିତ କୁମାର ତ୍ରିପାଠୀ

Views: 10
0 0
Read Time:4 Minute, 48 Second

ଉତ୍କୃଷ୍ଟ କଳାର ରାଜ୍ୟଟି ମୋହର
ନାମ ଉତ୍କଳ ପ୍ରଦେଶ
କଳା ଓ ସ୍ତପତ୍ୟ କାରୁକାର୍ଯ୍ୟ ସତ୍ୟ
ସୌନ୍ଦର୍ଯ୍ୟର ପରିବେଶ ।।୧।।
ଗର୍ବ ଗଉରବ ଗାରିମା ବିଭବ
ବୀରତ୍ଵ କୀର୍ତ୍ତି ଅପାର
ଚାରୁ କାରୁ କଳା ମନ୍ଦିର ମେଖଳା
ସୂକ୍ଷ୍ମ ଶିଳା କାରିଗର ।।୨।।
କୋଣାର୍କ ଯାହାର ପଦ୍ମ ପାଖୁଡ଼ାର
ଅସଂଖ୍ୟ ମୂର୍ତ୍ତି ଖୋଦିତ
ସପ୍ତ ଆଶ୍ଚର୍ଯ୍ୟସେ ବିଶ୍ଵ ଇତିହାସେ
ହୋଇଅଛି ପ୍ରମାଣିତ ।।୩।।
ପଟ୍ ଚିତ୍ର ପାଇଁ ଖ୍ୟାତି ଅଛି ରହି
ରଘୁରାଜ ପୁର ଗ୍ରାମ
ପିପିଲି ଚାନ୍ଧୁଆ ପାଟକି ବଢ଼ିଆ
ବ୍ରହ୍ମପୁର ଯେ ଗଞ୍ଜାମ ।।୪।।
ଶମ୍ଵଲ ପୁରର ବାନ୍ଧଶାଢୀ ବସ୍ତ୍ର
ବମକେଇ ସେହିପରି
ତାରକସି ପାଇଁ କଟକ ପ୍ରସିଦ୍ଧ
ଯୋତା ଉତ୍କଳ ଟେନେରୀ ।।୫।।
କଂସା ପିତଳର ବାସନ ଯାହାର
ବାଳକାଟି ଓ ଭୁବନ
ମାମୁଡିହ କଂସା ପିତଳର ଘଣ୍ଟା
କଣ୍ଟିଳ ଜଗମୋହନ ।।୬।।
ପିତଳର ମାଛ ବେଲଗୁଣ୍ଠା ଖ୍ୟାତ
ପାରଳାର ଶିଙ୍ଗ କାମ
ଏପରି ସମସ୍ତ କାରୁକାର୍ଯ୍ୟ ପାଇଁ
ଉତ୍କଳ ତାହାର ନାମ ।।୭।।
ପାରାଦୀପ ଯାର ନଉ ବାଣିଜ୍ୟର
ସାଧବ ସାହୁ ବେପାରୀ
ଉତ୍କଳ କମଳା ବିଳାସର ଲୀଳା
ଚିଲିକା ହ୍ରଦ ସେପରି ।। ୮।।
ଜଗନ୍ନାଥ ଙ୍କର ବିରାଟ ମନ୍ଦିର
ଶିଖର ଆକାଶ ଛୁଏଁ
ଲିଙ୍ଗରାଜ ଙ୍କର ବିଶାଳ ମନ୍ଦିର
ଭବ୍ୟତାର ରୂପ ଦିଏ ।।୯।।
ଓଡ଼ିଶୀ ସଙ୍ଗୀତ ଏବଂ ତାର ନୃତ୍ୟ
ବିଶ୍ବ ଶ୍ରେଷ୍ଠ ଉପହାର
ଘନ ଘୋର ବନ ପର୍ବତ କାନନ
ନଦୀ,ହ୍ରଦ ଓ ନିର୍ଝର ।।୧୦।
ସାଗର ଧୋଉଛି ଚରଣ ଯାହାର
ନାହିଁ ତାର ପଟାନ୍ତର
ଏପରି ଭାବରେ ଅନେକ ରୂପରେ
ଉତ୍କୃଷ୍ଟ କଳାଟି ତାର ।।୧୧।।
କଳା କାରୁକାର୍ଯ୍ୟ ବିଚିତ୍ର ଭାସ୍କର୍ଯ୍ୟ
ସାହିତ୍ୟ ସଂସ୍କୃତି ଯାର
ମନ୍ଦିର ମାଳିନୀ ଭୁବନ ମୋହିନୀ
ଅପୂର୍ବ ଶୋଭା ସଂଭାର ।।୧୨।।

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ପୋଷ୍ଟ – କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର,ଗଞ୍ଜାମ – ୭୬୧୧୩୧
ଭ୍ରାମ୍ୟଭାଷ – ୯୪୩୮୧୮୯୯୪୮

Share this :
Next Post

ବସନ୍ତ ରାସ - ବେଣୁଧର ସୂତାର

ଅନ୍ତହୀନ ଅନୁରାଗେ ମିଠା ସମ୍ମୋହନ ଜାଗେ ରଙ୍ଗର ରଙ୍ଗୋଲି ତୀରେ ପ୍ରୀତି ଫଲ୍ଗୁ ଅଭିସାରେ ଋତୁରାଜ ବସନ୍ତର ଧରା ପ୍ରବେଶ ମନେଭରେ ମାଦକତା କେତେଭାବ ପ୍ରବଣତା ଲାଳିତ୍ୟ ଛନ୍ଦରେ ରତା ଛନ୍ଦମୟୀ ପ୍ରୀତିଲତା ଅୟୀ ପ୍ରକୃତିର ରୂପ ମଧୁ କଳସ । ସପନର ଫାଙ୍କେ ଫାଙ୍କେ ପ୍ରେମମୟ ଛବି ଆଙ୍କେ ଝରା ବଉଳର ବାସେ ରୂପସୀ ପ୍ରକୃତି ହସେ କାଉଁରୀ ମାୟାର ଚୋରା ଚଇତି ଧାରା ରୁଚିର ସୁନ୍ଦର ମୟ […]

Subscribe US Now