କେଡେ ସୁନ୍ଦର ମୋ ଦେଶ
କେଡେ ମିଠା ତା’ପରଶ
ସ୍ୱାଧୀନତାଦିବସରେ
ଜୟଧ୍ୱନି ଶୁଣିଦେଲେ
ମନ ହୁଅଇ ହରଷ ll
ଅତିତର ପୃଷ୍ଠାରେ
ଝଲସି ଉଠଇ ଯେବେ
ମୋ ଦେଶର ମହାନତା
ଶାନ୍ତିମୈତ୍ରୀ, ଦୟାକ୍ଷମା
ଏହାର ମୂଳ ନମୁନା
ବିଭିନ୍ନତାରେ ଏକତା
ସତ୍ୟଧର୍ମକୁ ଦର୍ଶାଇ
ମୋ ତ୍ରିରଙ୍ଗା ଉଡୁଥାଇ
ଅହିଂସା ତା’ମୂଳ ମନ୍ତ୍ର
ମନରେ ରଖି ସ୍ୱଚ୍ଛତା
ରଖିବା ତା’ସ୍ୱତନ୍ତ୍ରତା
ସେ ପରା ଆମ ମହତ
ଭୁଲି ମାନଅଭିମାନ
କି ଜାତି କି ଧର୍ମ
ତା’ଓଠେ ଫୁଟାଇବା ହସ
ତା’ସମ୍ମାନ ରକ୍ଷାପାଇଁ
ଦେହୁ ଦେବା ରକ୍ତବୋହି
ରଖିବା ତାହାର ଯଶ ll
ତା’ଜାତୀୟ ସଂଗୀତରେ
ଅଖଣ୍ଡତା ହାତଠାରେ
ପୁଲକିତ ହୁଏ ମନ
ମନେ ଜାଗେ ଶିହରଣ
ଚେଇଁଉଠେ ଦେଶପ୍ରେମ
ଶୁଣିଦେଲେ ତା’ର ନାମ
ତା’ଅମୃତ ପରଶରେ
ଖେଳିଯାଏ ରକତରେ ଶତଶତ ସିଂହ ବଳ
ଭରଇ ସାହସ, ଦମ୍ଭ
ହୃଦପଦ୍ମେ ଶକ୍ତିସ୍ତମ୍ଭ
ଫୁଟେ ହୋଇ ଶତଦଳ ll
ତା’ଐତିହ ପରମ୍ପରା
ଦେଖି ଚମକିଛି ଧରା
ଅହିଂସାକୁ କରି ସାଥୀ
ସମୟର ଚକତଳେ
ଚାପି ସେ ହୋଇଛି ହେଲେ
ଭୁଲିନାହିଁ ତା’ର ନୀତି
ମନେରଖି ସ୍ୱାଭିମାନ
ଦେଇଛନ୍ତି ବଳିଦାନ
ତାହାରି ବୀର ପୁରୁଷ
କେତେ ଦୁଃଖ କଷ୍ଟ ସହି
ନିଜକୁ ବାଜି ଲଗାଇ
ହୋଇଲେ ଚିର ନମସ୍ୟ ll
ଏ ମାଟିରେ ଜନ୍ମହୋଇ
ଯାଇଛି ମୁଁ ଧନ୍ୟହୋଇ
କେଡେ ପବିତ୍ର ତା’କୋଳ
କେତେ ପୁଣ୍ୟ ତପ ବଳେ
ଆସିଛି ମୁଁ ମହୀତଳେ
ଜନ୍ମ ମୋ ହେଲା ସଫଳ
ଶୁଝିବି ତାହାର ଋଣ
ବାଜି ଲଗାଇ ଜୀବନ
ରଖିବି ତାହାରି ମାନ
କରୁଛି ମୁଁ ଆଜି ପଣ
ଏ ଜୀବନ ତା’ର ଦାନ
ତା’ସେବାରେ ଦେବି ପ୍ରାଣ ll
ବନଲତା ଜାଲି
କୃଷ୍ଣପ୍ରସାଦ, ପୁରୀ
Readers Interaction