ଚିହ୍ନି ରଖ ଭାଇ ଏଦେଶ ନେତାଙ୍କୁ
ଦେଖ ଦେଖ ତାଙ୍କ ଲୀଳା
ଗଣତନ୍ତ୍ର ରାହୁ ମାରୁ ମହାବାହୁ
ଏମାନେ ତ ସର୍ବଗିଳା ।।
ସଭ୍ୟ ମୁଖାତଳେ କୁତ୍ସିତ ସ୍ବରୂପ
ବିବିଧ ଏ ବେଶଧାରୀ
ଭକୁଆ ବନାନ୍ତି ଦେଶ ଜନତାଙ୍କୁ
ପିଆଇଣ ମାଧୁକରୀ ।।
ଗଣତନ୍ତ୍ର ବାଦୀ ଶାସକ ଏମାନେ
ଶୋଷଣ ତନ୍ତ୍ରର ଗୁରୁ
ନିର୍ଭୟେ ଲୁଟନ୍ତି ଦେଶର ବିଭବ
ମହାମାନ୍ୟ ମହାମାରୁ ।।
ଦେଶ ମାତୃକାର ସେବକ ନାମରେ
ଧର୍ମର ଧ୍ବଜା ଧାରୀ
ଦେଶଭକ୍ତ ନାମେ ଭଣ୍ଡ ଶଇତାନ
ମାୟାବୀ ବ୍ରହ୍ମଚାରୀ ।।
ନିର୍ଲ୍ଲଜ ମୁଖରେ ଲାଜର ଓଢ଼ଣୀ
ବେଶ୍ୟାର ସତୀତ୍ବ ପରି
ଚଉବର୍ଗ ଖିଆ ଦାନ ଦିଏ ଯେହ୍ନେଁ
ଧରମ କୁ ଆଖି ଠାରି ।।
ଗଣତନ୍ତ୍ର ଆଜି ରଣତନ୍ତ୍ର ଏଠି
ସତ୍ୟ ଖୋଜେ ବରାଭୟ
ନେତାଏ କରନ୍ତି ମିଠାଛଳନାର
ରଙ୍ଗ ବୋଳା ଅଭିନୟ ।।
ଜାଗିଉଠ ଯେତେ କୃଷକ ଶ୍ରମିକ
ନିଃସ୍ବ ଖଟିଖିଆ ଭାଇ
ଗଣତନ୍ତ୍ର ନାମେ ଶୋଷଣ ତନ୍ତ୍ରରେ
ନିଆଁ ଲଗାଇବା ପାଇଁ ।।
ମିଳିବନି ଶାନ୍ତି ନଲୋଡିଲେ କ୍ରାନ୍ତି
ସଂଗ୍ରାମ ଜାରି ରଖ
ମୁଣ୍ଡନ କରିଏ ଭଣ୍ଡ ନେତାଙ୍କୁ
ଶଇତାନି ରୂପ ଦେଖ ।।
ଆହ୍ବାନ କରୁଛି ନିଃସ୍ବ ଜନତାଙ୍କୁ
ବିଶ୍ବ ଭ୍ରାତୃତ୍ବ ଛବି
ଗଣ ଜାଗରଣେ ବିକଶିତ ହେବ
ମାନବବାଦର ରବି ।।
ନିଖିଳ ମୁଖରେ ଛୁଟିବ ଯେଦିନ
ମଧୁର ହସର ଧାର
ସାମ୍ୟ ବାଦର ମନ୍ତ୍ର ମହକେ
ଶୁଭୁ ଥିବ ଜୟକାର ।।
ଭାଇ କରୁଛି ମୁଁ ନମସ୍କାର
ଭୁଲଥିଲେ କ୍ଷମା କର
ବେଣୁଧର ସୂତାର
କେଶଦୁରାପାଳ
କେନ୍ଦୁଝର
Readers Interaction