ସୁଧାମଧୁଝରା ଅମିୟ ପସରା
କମନୀୟ କମ୍ର କାନ୍ତି
ମାଦକତା ଭରା ତା ଫଗୁଣ ସଞ୍ଜ
ଚୋରା ଚଇତାଳି ରାତି
ମମତାର ମଧୁମତୀ
ଅନାବିଳ ତାର ପ୍ରୀତି
ଯା ପାଇଁ ଲେଖନୀ
ଚାରୁଚିତ୍ରେ ଲେଖେ
ଅର୍ପିତ ମନର ଗୀତି
ଅପାଶୋରା ଯାର ନାଆଁରେ
ସେଇମୋର ମାଟି ମାଆରେ
ମାଆ ତ ସେନେହମୟୀ
ସରଗ ଠୁ ସୁଖଦାୟୀ
ଭୁଲିନାହିଁ ନଭୁଲିବି
କେବେ ତା ର ନାଆଁରେ
ମୋର ଟିକି ଗାଆଁରେ ।
ଯା ଆଲୋକ ମଧୁଝରା
ସମୀରେ ସୁରଭି ଭରା
ଯା ବାରି ଅମୃତ ଧାରା
ଶରୀରେ ରୁଧିର ପରା
ଯା କୋଳ ସୁନେଲି ଖରା
ଜୋଛନା ଯା ମୋତି ହୀରା
ପରାଣ ଚଳାଏ ଯାର ବାଆ,ରେ
ମୋର ଟିକି ଗାଆଁରେ …..
ଯାର ଉଷା ବର୍ଣ୍ଣବିଭା
ସାଂୟକାଳ ମନଲୋଭା
ଫଗୁଣ ବଉଳ ଶୋଭା
ଚଇତି ଚାନ୍ଦିନୀ ଆଭା
ଯା ହୃଦ ସ୍ନେହ ସଞ୍ଚିତ
ମମତା ମଧୁ ପଣତ
ଦୂରୁ ହାତ ଠାରି ଡାକେ
ଆ,ରେ ତୁ ଆ,ରେ
ମୋର ଟିକି ଗାଆଁ ରେ……
ତା ମଞ୍ଜୁଳ ଶ୍ୟାମଭୂଇଁ
ବିଲ ବଣ ତୋଟା ଛୁଇଁ
ପାହାଡି ଝରଣା ନଈ
ଶ୍ୟାମ ତରୁ ଲତା ଛାଇ
ବିହଙ୍ଗମ ମଧୁ ସ୍ବନ
କୁସୁମିତ ଫୁଲବନ
ପୁଲକାଏ ତନୁମନ
ରୋମାଞ୍ଚିତ ଛୁଆଁ ରେ
ମୋର ଟିକି ଗାଆଁରେ……
ଜନମିଛି ତାର କୋଳେ
କେତେକୋଟି ପୁଣ୍ୟ ବଳେ
ମମତା ପଣତ ତଳେ
ଲୋଟିଛି ଆନନ୍ଦ ଭୋଳେ
ଜୀବନ କାହାଣୀ ଯେତେ
ସାଇତିଛି ତା ପଣତେ
ପରିଚୟ ଦେଇଅଛି
ଏ ଦୁନିଆ ଦୁଆରେ
ମୋର ମାଟି ମାଆ ରେ
ଭୁଲି ନାହିଁ ନଭୁଲିବି
କେବେ ତାର ନାଆଁରେ
ମୋର ଟିକି ଗାଆଁରେ…….
ବେଣୁଧର ସୂତାର
କେଶଦୁରାପାଳ
କେନ୍ଦୁଝର
Readers Interaction