କୋଟିପ୍ରାଣେ ଭାରି ଫଲ୍ଗୁର ଧାରା
ମୌସୁମୀ ରାଣୀ ଆସିଛି ଏ ଧରା,
ସାଥିରେ ଆଣିଛି ଫୁଲେଇ ଶ୍ରାବଣୀ
ଅପୂର୍ବ ଶୋଭାରେ ଶୋଭଇ ଧରଣୀ।
ନବଯଉବନେ ମତୁଆଲା କି ସେ?
ମଧୂପ ଗୁଞ୍ଜନେ ଚିକ୍ ମିକ୍ ହସେ,
ଘଞ୍ଚ ବନାନୀ ର କୋଣୁ ଅବିରତେ
ବୀଣା ଜିଣା କଣ୍ଠୁ ତାନ ଭାସି ଆସେ।
ଚଉଦିଗେ ଦେଖ ଜଳର ଫୁଆରା
ନଇ ନାଳ ବିଲ ସରସୀ ରେ ଭରା,
ମୀନ ଆଦି ଯେତେ ଜଳଚର ପ୍ରାଣୀ
ଆନନ୍ଦରେ ବିହ- ରନ୍ତି ପୁଷ୍କରିଣୀ।
ଜାଇ ଜୁଇ ମଲ୍ଲୀ ହେନା ଚମ୍ପା ମୋତି
ଟଗର ମାଳତୀ ତମାଳ ସେବତୀ,
ବିବିଧ ପୁଷ୍ପରେ ମଣ୍ଡିତ ବାଟୀକା
ଜନ ମନ ନିତ୍ୟ ମୋହୁ ଥାଏ ଏକା।
ଉନ୍ମାଦେ ଭ୍ରମରେ ଉଡି ବୁଲୁଥାନ୍ତି
ପିଇବାକୁ ଦିବ୍ୟ ମଧୁ ଫେଣା ପନ୍ତି,
ମଧୁ ମକ୍ଷୀକାର ମଧୁର ଗୁଞ୍ଜନେ
ଫୁଲ ରାଣୀ ହସେ ନନ୍ଦନ କାନନେ।
ସମୀରେ ଲତାଏ ଲୋଟନ୍ତି ଧରଣୀ
କୁଳୁକୁଳୁ ନାଦେ ବହେ ନିର୍ଝରିଣୀ,
ଇନ୍ଦ୍ରଧନୁର କି ସୁନ୍ଦର ବେଣୀ
ଗଗନୁ ଓହ୍ଲାଇ ଆସେ କାଦମ୍ବିନୀ।
ଚାତକେ ଅଧିର ମଳୟ ଚଞ୍ଚଳ
ସରୋବରେ ଦେଖ ବିରାଜେ କମଳ,
କଳା ମେଘ ଦେଖି ମୟୁର ନିକର
ଉଲ୍ଲାସେ ନାଚନ୍ତି ଯେମନ୍ତେ ସାଗର।
ବିଜନେ ପଥିକ ଦେଖି ଭୀମ ରୂପ
ଆଖି ବୁଜି ଦିଏ ହୁଏ ହତବାକ,
ଚାଷୀ ହୁଡେ ହିଡ ପକ୍ଷୀ ଖୋଜେ ନୀଡ଼
ଆହା କି ସୁନ୍ଦର ଦିଶଇ ପାହାଡ଼ ?
ପହିଲି ପରଶେ ଉନ୍ମାଦିତ ପ୍ରାଣୀ
ଷୋଡଶୀ ଖୋଜଇ ସାଜି ବିରହିଣୀ,
କାହିଁ ଗଲ ଧନ ଫେରି ଅସ ବାରେ।
ଯୁବା ଧନ ମଧୁ ପିଇବାକୁ ଥରେ।
ମୌସୁମୀ ତୋର ପଟାନ୍ତର ନାହିଁ
ରୂପ ବିଭବର କେବେ ଅନ୍ତ ନାହିଁ,
ଯାବତ ଧରାରେ ଥିବ ତୋବାସନା
ଯୁଗେ ଯୁଗେ ଜନେ ଝୁରୁଥିବେ ସିନା।
ଶ୍ରୀ ନୀଳାଦ୍ରି ବିହାରୀ ମହାପାତ୍ର,ପୋଲସରା, ଗଞ୍ଜାମ
Readers Interaction