ସରଗରୁ ହାତ ବଢ଼ାଇ ମରତେ
ଭକତକୁ ଯିଏ ଦିଏ
ହାତ ନାହିଁ ବୋଲି କାଳିଆ ଧନର
କେମିତି କହିବ କିଏ? ।
ଲକ୍ଷେ ଯୋଜନରେ ଗଜ ଡାକିଥିଲା
ରଖ ପ୍ରଭୁ ନାରାୟଣ
ହସ୍ତେ ଚକ୍ର ଧରି ନକ୍ରକୁ ନାଶିଲେ
ସେ ଦୟାଳୁ ଭଗବାନ ।
ମହାବାହୁ ସିଏ ହାତକୁ ଅଦୃଶ୍ୟ
କରି ଲୀଳା କରୁଅଛି
ବିପଦରେ ପଡ଼ି ଭକତ ଡାକିଲେ
ତା ପାଖକୁ ଧାଉଁ ଅଛି ।
ସରଗରୁ ଗୋଡ ବଢେଇଲେ ଯିଏ
ମରତକୁ ଲମ୍ବିଯାଏ
ଗୋଡ ନାହିଁ ବୋଲି କାଳିଆକୁ ମୋର
କେମିତି କହିବ କିଏ।
ଯେତେ ଦୂରେ ଥାଉ ଅନ୍ତର ଖୋଲିଣ
ଡାକିଲେ ଭକତ ତାକୁ
ଭକତର ଦୁଃଖ ସହି ପାରେ ନାହିଁ
ଧାଇଁ ଆସେ ତା ପାଖକୁ ।
ଅନ୍ତର୍ଯ୍ୟାମୀ ସିଏ ଅନ୍ତରର ବ୍ଯଥା
ସଭିଙ୍କର ଜାଣି ପାରେ
ଦୁଃଖ ହାରୀ ସିଏ ପତିତ ତାରଣ
ନିମିଷକେ ଦୁଃଖ ହରେ ।
ହାତ ଗୋଡ଼ ସବୁ ଅଦୃଶ୍ୟ କରିବା
ଅଟ ଇ ଲୀଳା ତାହାର
ଲୀଳାମୟ ସିଏ ଲୀଳାକୁ ତାହାର
ନ ବୁଝନ୍ତି ବ୍ରହ୍ମାହର ।
ବଡ ଦେଉଳରେ ବସି ସିଏ ପରା
ଏ ବ୍ରହ୍ମାଣ୍ଡ ଦେଖୁଅଛି
ଜଗତ ପାଳକ ମ ଉନରେ ବସି
ଏ ଜଗତ ପାଳୁଅଛି ।
ଆହେ ଦୟାମୟ କାଳିଆ ସାଆନ୍ତ
ମୋ ପରେ ଦୟା ରଖିବ
ଧନ ସମ୍ପଦ ମୋ ଲୋଡା ନାହିଁ ପ୍ରଭୁ
ଦୟା କଣିକାଏ ଦେବ ।
ଶାନ୍ତି ଲତା ରଥ
ଅନୁଗୋଳ
Readers Interaction