ଜନନୀ ଜଠରୁ ଭୂମିଷ୍ଠ ହୋଇଲେ
ପାଦ ଥାପେ ପୃଥିବୀରେ
ସେହି ଦିନ ଠାରୁ ଶୁଭଯାତ୍ରା ହୁଏ
କର୍ମ ଯାତ୍ରା ଜୀବନରେ l୧l
ଶୈଶବ କୈଶୋର ଯୌବନ ବାର୍ଦ୍ଧକ୍ୟ
ଯାତ୍ରା ଭିନ୍ନ ଭିନ୍ନ ହୁଏ
ଉତ୍ଥାନ ପତନ ଜୀବନର ସ୍ରୋତେ
ନିତି ଡ଼ଙ୍ଗା ବାହୁ ଥାଏ l୨l
ମିଛ ଦୁନିଆରେ ମୁଖେ ରଙ୍ଗ ବୋଳି
ଅଭିନୟ ସେତ କରେ
ଦୁଃଖ ସୁଖ ଭରା ଜୀବନ କାହାଣୀ
ଏହି ସଂସାର ମଧ୍ୟରେ l୩l
ପରିବାର ଠାରୁ ସମ୍ପର୍କ ଯୋଡଇ
ରାଜ୍ୟ ହେଉ ଅବା ଦେଶ
ଭିନ୍ନ ଭିନ୍ନ କର୍ମେ ଯାତ୍ରା କରି ସିଏ
ପାଏ ମନରେ ସନ୍ତୋଷ l୪l
ଧର୍ମ ଅଧର୍ମର ପରଖ କରିଲେ
ଯାତ୍ରା ହୁଏତ ସୁଗମ
ସତ୍ୟ ଧର୍ମ ପଥେ ଯାତ୍ରା କରୁ ଥିଲେ
ପୂଣ୍ୟ ଫଳ ତାର କର୍ମ l୫l
ସତ୍ୟ ପଥ ଯାତ୍ରା ସ୍ୱର୍ଗ ବଇକୁଣ୍ଠ
ମିଥ୍ୟା ନରକକୁ ନିଏ
ଅସତ୍ୟର ଯଦି କାର୍ଯ୍ୟ କରୁ ଥିବ
ଆହା ନ କହିବେ କିଏ l୬l
ଅନ୍ତିମ ଯାତ୍ରା ଯେ ଜୀବନର ଶେଷ
ଶେଷ ଠିକଣା ମଶାଣି
ଧନୀ ଗରୀବର ରଖେନା ଫରକ
ତନୁକୁ ଜଳାଏ ଅଅଗ୍ନୀ l୭l
ବାସନ୍ତି ଲତା ଜେନା
ଗାନ୍ଧୀନଗର
ନବରଙ୍ଗପୁର
Readers Interaction