ବୋଉ – ନୀଳାଦ୍ରି ବିହାରୀ ମହାପାତ୍ର

Views: 35
0 0
Read Time:4 Minute, 15 Second

 

ବୋଉବୋଉ ବୋଲି ଯେତେ ମୁଁ ଡାକିଲି
ଘରସାରା ବୁଲି ବୁଲି
ଡାକ ଶୁଣି ବୋଉ ବାଡ଼ିପଟୁ କିଆଁ
ଆସିଲାନି ଆଉ ଚାଲି ।୦୧।

ସକାଳୁ ସକାଳୁ ଆଳୁ ସିଝା ଭାତ
ପେଟେ ଖୋଉ ଥିଲା ବୋଉ
ଖରାବେଳ ହେଲେ ଥାଳିଏ ଘାଣ୍ଟକୁ
ପଖାଳ ମାଣ୍ଡିଆ ଜାଉ. ।୦୨।

ବସା ବାସି ଡାଲି ଗରମ ଭାତକୁ
ପିଆଜ ଓ ଲୁଣ ଲଙ୍କା
ବଡି ଚୁରା ସଂଗେ ବାଇଗଣ ପୋଡା
ବାଡ଼ି ଲେଉଟିଆ ଭଜା  ।୦୩।

ବୋଉ ହାତ ରନ୍ଧା ସ୍ୱାଦର ତୁଳନା
ତାର ପଟାନ୍ତର ନାହିଁ
ବରଷ କୁ ଥରେ ମାମୁଁଏ ଆସନ୍ତି
ତା ହାତ ବାସନା ପାଇଁ   ।୦୪।

ଖରା ବେଳେ ଦେଖ ବୁଢ଼ୀ ମାଉସିଏ
ବୋଉ ପାଶେ ହୋନ୍ତି ଉଭା
ପୁରାଣ ସାଙ୍ଗକୁ ଢଗ ଢମାଳି ରେ
ରାଇ ଦାମଦୋର ସଭା  ।୦୫।

ବୋଉ ପାଶେ ସଦା ସାହି ମାଉସିଏ
ଘେରି ଥାଆନ୍ତି ଛାଇ ଭଳି
ଆଚାର ସାଙ୍ଗକୁ କାଞ୍ଜି ବଡି ରାଇ
ଚାଖୁ ଥିବେ ସର୍ବେ ମିଳି  ।୦୬।

ଦାଣ୍ଡରୁ ଫେରିଲେ ଅସଜଡ଼ା କେଶ
ହାତରେ ସଜାଡି ଦିଏ
ଯେତେ କହିଲେ ବି ଘରୁ ବାହାରିଲେ
ପଛ ପଟୁ ଡାକଦିଏ  ।୦୭।

ସକାଳ ହୋଇଲେ ପୋଡ଼ ପିଠା ଖଣ୍ଡେ
ହାତରେ ଧରେଇ ଦେଇ
ଦାଣ୍ଡ ବାରି କାମେ ଲାଗି ପଡୁଥିଲା
ପଛକୁ ସେ ଫେରେ ନାହିଁ  ।୦୮।

ଦୁଇ ଶ୍ରେଣୀ ଯାଏଁ ପାଠ ସିନା ତାର
ଗୀତ ଓ ପୁରାଣେ ଦାଢ଼
ଫୁଲଠୁ କୋମଳ ପଥରଠୁ ଦୃଢ
କଥାରେ ଭାଙ୍ଗଇ ହାଡ଼  ।୦୯।

ଲୋଭ ହିଂସା ମୋହ କପଟ ତା ହୃଦେ
କେବେ ତିଳେ ଦେଖି ନାହିଁ
ମୋର ମୋର ବୋଲି ସଂସାର ଜନଙ୍କ
ମନ ନେଉଥାଏ ମୋହି  ।୧୦।

ଦାଣ୍ଡେ ଯିବା ଲୋକ ଡାକି ପଚାରିବ
ଭଲ ମନ୍ଦ କଥା ମାନ
ଗଲା ଦିନ ସିଏ ଆମ ଦାଣ୍ଡେ ଉଭା
ଗାଁର ସକଳ ଜନ  ।୧୧।

ବୋଉ ସିନା ନାହିଁ ବାସନା ତା ଅଛି
ଛବି ତା ମଉଳି ନାହିଁ
ଆଜି ମଧ୍ୟ ଜନେ ମୋତେ ପଚାରନ୍ତି
ତା ହାତ ବାସନା ପାଇଁ   ।୧୨।

ନୀଳାଦ୍ରି ବିହାରୀ ମହାପାତ୍ର

Share this :
Next Post

କି ଲାଭ ପାଇଲି - ସହଦେବ ବେହେରା

ଚାଉଳରେ ଗୋଡି ଅଟାରେ ଚ’ଖଡି ଓଜନେ ମାପ ଠକେଇ କି ଲାଭ ପାଇଲି ଠକେଇ ଅନ୍ୟକୁ ପଡିଲି ନିଜେ ଧସେଇ ।।୧ ଭିକାରୀ କୁ ମୁଠେ ଦେଲିନି ଚାଉଳ ଦରଜା ମିଛେ ଆଡେଇ ବିଲେଇ କୁକୁର ମୁହେଁ ଦାନା ଗଣ୍ଡେ ନ ଦେଇ ଦିଏ ଆଡେଇ ।।୨ ଅତିଥି ଆସିବା ଖବର ଶୁଣିଲେ ବାହାନା ମନେ କରିଲି ନିଜ ଜଞ୍ଜାଳରେ ବୁଡିରହି ମିଛେ ଅତିଥି ସେବା ଭୂଲିଲି ।।୩ ପୁଅ […]

Subscribe US Now