ଚାଉଳରେ ଗୋଡି ଅଟାରେ ଚ’ଖଡି
ଓଜନେ ମାପ ଠକେଇ
କି ଲାଭ ପାଇଲି ଠକେଇ ଅନ୍ୟକୁ
ପଡିଲି ନିଜେ ଧସେଇ ।।୧
ଭିକାରୀ କୁ ମୁଠେ ଦେଲିନି ଚାଉଳ
ଦରଜା ମିଛେ ଆଡେଇ
ବିଲେଇ କୁକୁର ମୁହେଁ ଦାନା ଗଣ୍ଡେ
ନ ଦେଇ ଦିଏ ଆଡେଇ ।।୨
ଅତିଥି ଆସିବା ଖବର ଶୁଣିଲେ
ବାହାନା ମନେ କରିଲି
ନିଜ ଜଞ୍ଜାଳରେ ବୁଡିରହି ମିଛେ
ଅତିଥି ସେବା ଭୂଲିଲି ।।୩
ପୁଅ ଝିଅ ସ୍ତିରୀ ନିଜର କରିଲି
ଧନ ଦଉଲତ ଦେଇ
ସବୁ ଥାଇ ନିଃସ୍ବ କରିଦେଲେ ମୋତେ
ନିଜ ବାଟ ବାଛି ନେଇ ।।୪
ଦିଅଁ ଦେବତା କୁ ହାତଯୋଡି ଥରେ
ଜୀବନେ ମାନିଲି ନାହିଁ
ଧରମ ବିଶ୍ବାସ କରିଦେଲି ତୁଛ
ଅଧର୍ମକୁ ଆପଣେଇଁ ।।୫
ବେଳ ବୁଡି ଆସି ଅନ୍ଧାର ହେଲାଣି
ଭାବିଲେ ଲାଭ କି ହେବ
କି ଲାଭ ପାଇଲି ହଜାଇ ସେ ଦିନ
ଆଉ କି ଫେରି ଆସିବ ।। ୬
ସହଦେବ ବେହେରା
ମଙ୍ଗରାଜପୁର, କେନ୍ଦୁଝର
Readers Interaction