Read Time:1 Minute, 52 Second
ମୃତ୍ୟୁ ତୁମେ କେବେ ପରିଚିତ ଶବ୍ଦ
ପ୍ରାରବ୍ଧର ଶୂନ୍ୟସ୍ଥାନେ
ମରମକୁ ଭେଦ ଚରମ ଅସ୍ତ୍ରରେ
ନିୟତିର ରଣାଙ୍ଗନେ
ଅଜ୍ଞାତର ଅଭିଯାନେ
ତୁମରି ଇଙ୍ଗିତେ ସଭିଏଁ ତ ଯାତ୍ରୀ
ଅଦୃଷ୍ଟର ସମ୍ମୋହନେ
ତୁମେ ପୁଣି କେବେ ସମାପିକା କ୍ରିୟା
ସମ୍ପର୍କର ଇତିବାକ୍ୟେ
ନୁହଁ ପୂର୍ଣ୍ଣଛେଦ ତୁମେ ତ ଆନନ୍ଦ
ଜୀବନର ଉପଲକ୍ଷେ
କେବେ ଦୁଃଖେ କେବେ ସୁଖେ
ପାପର ହାଟରୁ କିଣିନିଅ ପୁଣ୍ୟ
କର୍ମ ଯହିଁ ଭାଗ୍ୟ ବିକେ
ନୁହଁ ଉପହାସ, ତୁମେ ଉପହାର
ଉପସଂହାରର ପର୍ବ
ଦେଇ ଅଛ ଦଳି କେତେ ମହାବଳୀ
ନଭଶ୍ଚୁମ୍ବୀ ମାନ ଗର୍ବ
ଆନ ତୀର୍ଥେ କିବା ଲାଭ
ତୁମେ ଯଦି ମୋର ଅନ୍ତିମ ଆଶ୍ରୟ
ତୁମ ପଦେ ଦେଲି ସର୍ବ
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
Readers Interaction