ତୁମେ ମୋ ମନର ନିଃଶବ୍ଦପୁଲକ
ପ୍ରୀତିର ଅମୃତ ଭାଷା
ହୃଦେ ଭରିଅଛ ଅସରା ସପନେ
ଚିରନ୍ତନୀ ଭାବ ଦିଶା
ପବିତ୍ର ପ୍ରେମର ଚାରୁ ରୂପକଳ୍ପ
ଚିର ପ୍ରତୀକ୍ଷିତ ଆଶା
ପ୍ରୀତିର ଅମୃତ ଭାଷା……
ତୁମରି ପ୍ରେମର ଲଳିତ ଲହର
ଭାବ ଅମୃତର ଧାରା
ରୂପ ସୁଷମାର ମାଧୁର୍ଯ୍ୟ ମହକ
କରି ଦିଏ ଆତ୍ମହରା
ପ୍ରୀତି ଭକତିର ସମ୍ମୋହନ ସୁର
ବିଶ୍ବାସର ପରିଭାଷା
ଚିର ପ୍ରତୀକ୍ଷିତ ଆଶା……….
ଚନ୍ଦନ ଚର୍ଚ୍ଚିତ ନୀଳତନୁ ତୁମ
ଆହା କେଡ଼େ ମନୋହର
କୋଟି ଲାବଣ୍ୟର ଲଳିତ ବିସ୍ତାର
କଳ୍ପ ଆଉ କଳ୍ପାନ୍ତର
ଦେବ ଦୁର୍ଲ୍ଲଭ ସେ ରୂପ ଦରଶନେ
ମେଣ୍ଟିବ ମନର ତୃଷା
ଚିର ପ୍ରତୀକ୍ଷିତ ଆଶା……….
ମୋ ଅନ୍ତର ଘନ ତିମିର ତୀର୍ଥର
ତୁମେ ପୂର୍ଣ୍ଣ ନୀଳଜହ୍ନ
ଅନନ୍ତ ଜ୍ୟୋତିର ଦିବ୍ୟ ଅହସ୍କର
ବ୍ରହ୍ମମୟ ସନାତନ
ଭକ୍ତି ନୈବେଦ୍ୟର ଆଦ୍ୟଆବାହନ
ଅମୃତ ଉଷସୀ ଉଷା
ଚିର ପ୍ରତୀକ୍ଷିତ ଆଶା………
ସବୁ ବନ୍ଧନ ମୁଁ କାଟିଦେଇ ପ୍ରଭୁ
ଆସିଛି ତୋ ପାଶେ ଚାଲି
ମନକୁ କରିଛି ପୁଣ୍ୟ ନନ୍ଦିଘୋଷ
ହୃଦୟ ଶରଧା ବାଲି
ତୁମବିନାସ୍ଥିତି ଶୂନ୍ୟ ପରିସ୍ଥିତି
ତୁମେ ମୋ ସଙ୍କଳ୍ପ ଦିଶା
ତୁମେ ମୋ ମନର ନିଃଶବ୍ଦ ପୁଲକ
ପ୍ରୀତିର ଅମୃତ ଭାଷା
ଚିର ପ୍ରତୀକ୍ଷିତ ଆଶା…………
କେଶଦୁରାପାଳ
କେନ୍ଦୁଝର
ଦୂରଭାଷ ୯୧୭୮୫୬୮୨୪୬
Readers Interaction