ବୋଲଇ ଗଛ,
ଏବେ ମୁଁ କେମିତି ହୋଇଲି ପଛ?
ସତ କହ ଆରେ ମଣିଷ ଭାଇ,
କି କାରଣେ ମୋତେ ଦେଲୁ ଦୂରେଇ,
ଛାଡ଼ିଲେମୋତେ,
ଏଇ ମରତେ,
ବଞ୍ଚି କି ପାରିବୁ ପରାଣ ନେଇ?
କିଦୋଷେ ମୋର,
କରୁଛୁ ବିନାଶ ନାହିଁ ଆଦର।
ଜନମ କାଳରୁ ମୋ ସଙ୍ଗେ ରହି,
ମୋ କୋଳେ ବଢିଲୁ ମୋହର ଖାଇ,
ପାଇଲୁ ବାସ,
ବସନ ଓଷ,
ଦେଲି ମୁଁ ତଥାପି ଶରଧା ନାହିଁ !
ଦେଲି ମୁଁ ଛାଇ,
ଆରାମ କରିଲୁ ହାଲିଆ ହୋଇ।
ଫୁଲ ଫଳ ପତ୍ରେ ମୋ ଦେହ ଭରା,
ସୁନ୍ଦର ଦିଶଇ ସଂସାର ସାରା,
ଫୁଲର ବାସ,
ଚହଟେ ବିଶ୍ୱ,
ମୋ ଅଙ୍ଗ ସକଳ ଆହାରେ ଭରା।
କଲୁ ଜାଳେଣି,
ବଣ ପଦା କଲୁ ପଡ଼େ ଭାଳେଣି।
କଲୁ କୋଠା ବାଡ଼ି ପକ୍କା ସଡକ,
ବନ୍ଧ ବାଡ଼ କଳ ପୋଲ ଅନେକ,
ଖୋଳିଲୁ ଖଣି,
ଜଙ୍ଗଲ ପୁଣି,
ଅଧା କରିଲୁଣି ନାହିଁ ବିବେକ?
ଶୋଚନା ନାହିଁ,
କାନ୍ଦେ ମୋ ପରାଣ ତୋହରି ପାଇଁ।
ଅଭାବେ ମୋହର ବଢ଼ଇ ତାତି,
ପାଗ ଅଠିକଣା ବଢ଼େ ବିପତ୍ତି,
ଅମଳ ଜାନ,
ଜଳ ଜୀବନ,
ନାଶଇ ବହୁତ କଲାଣି କ୍ଷତି।
ବଢ଼ି ମରୁଡ଼ି,
ପାଗ ବିପରୀତେ ପଡ଼ଇ ରଡ଼ି।
ପଡ଼େ ହାହାକାର ଅଭାବେ ଜଳ,
ଜଗତ ଜୀବନ ହୁଏ ବିକଳ,
ହୁଏ ଭୂକମ୍ପ,
ସୁନାମି କୋପ,
ବଢ଼େ ବିଭୀଷିକା ଗୋଳ ପ୍ରବଳ।
ମରିବି ସତ,
ଭାଳଇ ତୋ ପାଇଁଁ ହୁଏ ଦୁଃଖିତ।
ମୋ ବିନୁ ଅଭାବ ସବୁ ଦରବ,
ବଞ୍ଚି କି ପାରିବ ସଂସାର ଜୀବ,
ଅବୋଧ ଭାବ,
ମନ୍ଦ ସ୍ୱଭାବ,
ବୁଦ୍ଧି ବିପରୀତେ ବିଶ୍ୱ ରହିବ !
ସୀମାଞ୍ଚଳ ପଣ୍ଡା
ଶିକ୍ଷକ,ଡେଙ୍ଗାଡି, ଗଞ୍ଜାମ
Readers Interaction