🙏ଭଗ୍ନଶିଳାର ତୃଷ୍ଣା🙏
୫୫୫୫୫୫୫୫୫୫୫୫୫୫୫୫୫୫
ବେଣୁଧର ସୂତାର
************************
କୋଟିଜନ ଦେଖେ
ଯାହାର ଗାତ୍ରରେ
ଭାସ୍କର୍ଯ୍ୟର ଚାରୁ କଳା
ମୁଁ ଦେଖୁଛି ତହିଁ ବାରଶ ଶିଳ୍ପୀର
ଅଶ୍ରୁ ଆଳାପ ମାଳା
ଶିଳାରେ ଶିଳାରେ
ଖୋଦିତ କଳାରେ
ବିଦେହୀ ମଦନ ରୂପ
କାଳର ଗରଭେ ସାଜି ଅଛି ଆଜି
ଧ୍ବଂସ ର ମହା ସ୍ତୁପ ।।
ଶିଳ୍ପୀର କୁହୁକ ନିହଣ ସ୍ପର୍ଶ ରେ
ପ୍ରାଣ ଭରା ସଞ୍ଜୀବନୀ
ଶିଳା ସୁନ୍ଦରୀର ତନୁ ତନିମାରେ
ଝରେ ପ୍ରୀତି କାଦମ୍ବିନୀ ।।
ତା ଅନ୍ତରେ ଭରା ପ୍ରୀତିର ମଦିରା
ପ୍ରଣୟ ର ମଧୁ ମୋହ
ଅଳସ ଗୋଧୂଳି ଅସ୍ତ ରାଗରେ
ପୁଲକି ଉଠେ ତା ଦେହ ।।
ନିବିଡ଼ ନିଶିର ନିଃସ୍ବ ବୁକୁରେ
ତାରକା ଦୀପାଳି ଜଳେ
ବିଫଳ ପ୍ରେମର ପ୍ରତିଧ୍ବନି ତୋଳେ
ସାଗର ଲହରି ମାଳେ ।।
ଅଳସୀ ମନର ବିଳାସୀ ସପନେ
କୃର କାଳ ଅଭିଶାପ
ଲାସ୍ୟମୟୀ ସେ ଲଳନା ସାଜିଛି
ଭଗ୍ନ ଶିଳାର ରୂପ ।।
ମର୍ମାହତ ତାର ଭଗ୍ନ ହୃଦୟର
ଅମିତ ଯନ୍ତ୍ରଣା ତାତି
ଅଧୀର କରୁଛି ବିଦଗ୍ଧ ଅନ୍ତର
ବିଫଳ ପ୍ରେମର ସ୍ମୃତି ।।
କାଳ ଅଭିଶାପେ ନିତି ସେ ଜଳୁଛି
ପାଷାଣୀ ଅହଲ୍ୟା ପରି
କାହାପାଦସ୍ପର୍ଶେ ସାଜିବ ସେଦିନେ
ସତେ ଅପରୂପା ନାରୀ ।।
ଫେରିକି ପାଇବ ବିଗତର ସେଇ
ସମ୍ମୋହନୀ ତନୁ ମନ
ଯା ଘେନି ରଚିବ ପ୍ରେମ ପ୍ରଣୟର
ରୋମାଞ୍ଚିତ ଅଭିଯାନ ।।
କୋଟି କଙ୍କାଳର କରୁଣ କ୍ରନ୍ଦନ
ଶୁଭେ ସେଇ ସ୍ତୁପ ତଳେ
ତଥାପି ଶିଳ୍ପୀର କୀର୍ତ୍ତିର ମଧୁର
ଗାଥା ଆଜି ସମୁଜ୍ଜୋଳେ ।।
ଉତ୍କର୍ଷ କଳାର ଚାରୁଧାମ ବୋଲି
ଉତ୍କଳ ଥିଲା ତା ନାମ
ସେ ଉତ୍କର୍ଷକଳା ଆଜି ଭଗ୍ନ ଶିଳା
ତୃଷିତ ମରୁର ସମ ।।
ଅର୍କକ୍ଷେତ୍ର ଯାର ମୁକ୍ତ କଣ୍ଠରେ
ମଧୁର ବନ୍ଦନା ଗାଏ
ଓଡ଼ିଆ ଶିଳ୍ପୀର ଲଳିତ କଳାର
ମର୍ତ୍ତ୍ୟରୁ ସ୍ବର୍ଗ ଯାଏ
ଭୁଲିନି ଏଜାତି ବାରଶ ବଢ଼େଇ
ଧରମା ର ବଳିଦାନ
ଏବେବି ଗାଉଛି କଳା କୋଣାରକ
ମୁକ୍ତକଣ୍ଠେ ଜୟ ଗାନ ।।
************************
କେଶଦୁରାପାଳ
କେନ୍ଦୁଝର
ଦୂରଭାଷ-୯୧୭୮୫୬୮୨୪୬
ଭଗ୍ନଶିଳାର ତୃଷ୍ଣା.ବେଣୁଧର ସୂତାର
Views: 41
Read Time:4 Minute, 36 Second
Readers Interaction