କୃଷ୍ଣ ଜନ୍ମ………..
——————————————-
କେତେ କେତେ ନାଟ ଲଗାଇଛି ନାଟୁଆ
ସେ ତ ବଡ଼ ଆମ ନଟବର,
କେଉଁ କାଳେ ଦେଇଥିଲା ସେ ବର
ରହିଲା ଆସି ସେ ଦେବକୀ ଗର୍ଭର.
କେତେ ହୀନିମାନ କରି ସେ ଦେଖିଲା
କଂସର କଷଣ ସବୁ ସୀମା ଲଙ୍ଘିଲା,
ଯେବେ ଦେବତାଙ୍କୁ କଲା ସେ ଦାସ
ତେବେ ହରିଙ୍କର ତ ଅବତାର ହେଲା.
ସଂସାରୁ କରିବେ ପାପର ସେ ନାଶ
ଏ ମହୀତଳୁ ଅତ୍ୟାଚାର ହେବ ଧ୍ବଂସ,
ସଭିଙ୍କ ଶୁଣି କରୁଣ ଦୁଃଖ ଗୁହାରି
ମାନବ ରୂପ ନେଲେ ସେ ପୀତବାସ.
ଅନ୍ଧକାର ଥିଲା କାରାଗୃହ,ହେଲା ଆଲୋକିତ
ବାସୁଦେବ ଦେଖି ହେଲେ ଆନନ୍ଦ ଚକିତ,
ଦେବକୀ ପ୍ରସବ ପିଡାରେ ହାରିଲା ଚେତା
ମାତା ଡ଼ାକ ଶୁଣି ହେଲେ ପ୍ରକୂସ୍ଥିତ.
ଦେଖି ସୁନ୍ଦର ରୂପ ହେଲେ ବିଭୋର
କହିଲେ, ହେ କୃଷ୍ଣ ନିଜକୁ ରକ୍ଷାକାର,
ନାରାୟଣ କୁହନ୍ତି ଧୀରେ ତେବେ ବୁଝାଇ
ନେଇ ରଖିବାକୁ ଯଶୋଦା ପାଶେ ସତ୍ୱର.
ଶିକୁଳି ଫିଟିଲା, ଖୋଲିଲା ସେ ବନ୍ଦୀଘର
ତାଙ୍କୁ ଧରି ଚାଲିଲେ ବାସୁଦେବ ବୀର,
ବାଟେ ଉଗ୍ରସେନ ଯେବେ ବାଟ ଓଗାଳିଲା
କଢ଼ାଇଲା ବାଟ ଦେଖି ରୂପ ତାଙ୍କର.
ଉଛୁଳା ଯମୁନା ବି ଦେଖି ହରିଙ୍କୁ
ବାଟ କରିଦେଲା ତାଙ୍କୁ ପାରି କରିବାକୁ ,
ବର୍ଷାର ନୀରେ ଭିଜି ଭିଜି ବସୁଦେବ
ଯଶୋଦା କୋଳେ ଯାଇ ରଖିଲେ କେଶବଙ୍କୁ.
ଆଣିଲେ ଦୁହିତାକୁ ସେଠାରୁ ଧରି ହାତେ
ଦେଲେ ଦେବକୀ କୋଳେ ସେ ତ୍ୱରିତେ,
ପଡିଲା ଶିକୁଳି, ବନ୍ଦ ହେଲା ବନ୍ଦୀଗୃହ
ବୋହିଲା ଦେବକୀ ଆଖିରୁ ଲୁହ କେତେ.
ଆସିଲା ତୁରନ୍ତ ସେ ପାପୀ କଂସାସୁର
ସେ କନ୍ୟାକୁ ଦେବକୀ କୋଳରୁ ନେଲା,
ଅଟ୍ଟହାସ କରି ଯେବେ ନାଶିବାକୁ ଗଲା
ବିଜୁଳି କନ୍ୟା ତା ହାତୁ ଖସିଗଲା.
ହେଲା ସ୍ଵର୍ଗବାଣୀ କଂସ ପାଇଁ ତୁରନ୍ତ
ତା ବିନାଶ ପାଇଁ ଗୋପପୁରେ ଅନନ୍ତ,
ନେଇଛନ୍ତି ଜନମ, ଶୁଣିଲା ସେ ଅଧମ
ବିଚଳିତ ହୋଇ ଗଲା ସେଠାରୁ ତୁରନ୍ତ.
ଏମନ୍ତେ ସେ ନଟବର ନାଟୁଆ ସାଆନ୍ତ
କେତେ ନାଟ କରି ଅବତାର ନେଲେ,
ଦେବକୀଠୁ ଜନ୍ମି ସେ ଗୋପପୁରେ ବଢିଲେ
ବଡ଼ ନାଟ କରି କୃଷ୍ଣ ଜନ୍ମ ହେଲେ.
———————————————–
ଲୋକନାଥ ରଥ
ମଣିଦେବି କୁଟୀର
କଟକ -753001
ମୋ -9437031693
Readers Interaction