ଏଇ ମନ ବୃନ୍ଦାବନ
ଡ. ପ୍ରିୟମ୍ବଦା ସାମଲ
ମନ ବୃନ୍ଦାବନେ ସଜାଇ ରଖିଛି
କେତକୀ କୁସୁମ ହାର
ହୃଦୟକୁ ମୋର ସାଇତି ରଖିଛି
ତୁମପାଇଁ ବେଣୁଧର।
ନହୁଅ ନିଷ୍ଠୁର ଆହେ ବଂଶୀଧର
ଚାହିଁ ଅଛି ତୁମ ପଥ
ତୁମ ବଂଶୀ ସ୍ବର ଶୁଣି ଦେଲେ ଥରେ
ମନ ମୋ ହେଉଛି ବ୍ଯସ୍ତ।
ପାର୍ଥିବ ପ୍ରେମରେ ସେ ମଧୁତା କାହିଁ
ଅପ୍ରାକୃତ ପ୍ରେମେ ଯହିଁ
ଜୀବନ ଜଂଜାଳ ସହି ହେଉ ନାହିଁ
ତୁମ ପାଖେ ମନ ଯାଇଁ।
ମୋହ ମାୟା ଘେରାଏ ସଂସାର ସାରା
ଛଳନା ରେ ଭରା ପରା
ତୁମ ଦିବ୍ଯ ରୂପ ସ୍ପର୍ଶ ଲଭିବାକୁ
ଏ ମନ ବଡ ଅଧିରା।
ହେ କଳା କହ୍ନାଇ ଡେରି କାହିଁ ପାଇଁ
ମୋ ଡାକ କି ଶୁଭୁ ନାହିଁ
ଅଧିରା ଅସ୍ଥିରା ମନ ଉପବନ
ଚାତକିନୀ ପରା ମୁହିଁ।
ଜୀବନ ପ୍ରଦୀପ ଲିଭି ଲିଭି ଆସେ
ସରି ସରି ଆସେ ଆୟୁ
ଏ ମରତଧାମ ଛାଡିବା ଆଗରୁ
ତୁମ ନାମ ତୁଣ୍ଡେ ଥାଉ।
ପାରଳାଖେମୁଣ୍ଡି, ଗଜପତି।
ଏଇ ମନ ବୃନ୍ଦାବନ..ଡ. ପ୍ରିୟମ୍ବଦା ସାମଲ
Views: 46
Read Time:2 Minute, 10 Second
Readers Interaction