ଓଡ଼ିଆ ଜାତିର ସ୍ୱାଭିମାନ ରଥେ
ରଥ ଧ୍ବଜା ଭାଗବତ,
ଓଡିଶା ମାଆର ଦରିଦ୍ର ବ୍ରାହ୍ମଣ
ଘରେ ଜନ୍ମ ଜଗନ୍ନାଥ,
ଓଡ଼ିଆ ଭାଷା କର୍ଣ୍ଣଧାର……
ତୁମ ପାଇଁ ଆଜି ଓଡିଶା ପ୍ରଦେଶ
ଜନ୍ମଦିନେ ନମସ୍କାର ll
ପିତୃ ବିୟୋଗରେ ପନ୍ଦର ବର୍ଷରେ ଦାରିଦ୍ର୍ୟର ତାଡନାରେ,
ଅବିଚଳ ତୁମେ ନିଶ୍ଚଳ ହୋଇଣ
ମାତା ଦୁଃଖ ଫେଇବାରେ,
ସେ ପ୍ରଭୁ ପାଦପଦ୍ମରେ……
ଲୟରଖି ଶ୍ରୀମଦ୍ଭାଗବତ ଲେଖା
ଆରମ୍ଭିଲ ଆନନ୍ଦରେ ll
ହାଡ଼ିଆ ଅଚ୍ୟୁତାଽନନ୍ତ ବଳରାମ
ସହ ତୁମ ନାମ ଯୋଡ଼ା,
ପଞ୍ଚସଖା ଭାବେ ଜଗତେ ବିଦିତ
ନାମ ଅମୃତ ଅବଡ଼ା,
କେତେଯେ ପୁରାଣ ଶାସ୍ତ୍ର……
ରଚିଗଲ ତାହା ସଂସାରେ ହୋଇଲା
ପୁଣ୍ୟର ଅମୋଘ ଅସ୍ତ୍ର ll
ଘରେ ଘରେ ଆଜି ପରିଚିତ ତୁମେ
ପୂଜନ୍ତି ଓଡ଼ିଆଜାତି,
ଜଗନ୍ନାଥ ଦାଶ ନାମେ ନ୍ୟାୟାଳୟେ
ମଧୁବାବୁ ରଖେ କୀର୍ତ୍ତି,
ସଗର୍ବେ ଓଡ଼ିଆ ଜାତି……
ମୁଣ୍ଡ ଟେକି ଆଜି ସମାଜେ ତିଷ୍ଠିଛି
ଫୁଲାଇ ତାହାର ଛାତି ll
ଶ୍ରୀଚୈତନ୍ୟ ଦେବ ଗସ୍ତ କରିଥିଲେ
ଶ୍ରୀପୁରୁଷୋତ୍ତମ ଧାମେ,
ଅତିବଡ଼ି ବୋଲି ଉପାଧିକୁ ଦେଲେ
ସନ୍ତୁଷ୍ଟେ ତୁମ୍ଭର କର୍ମେ,
କି ବର୍ଣ୍ଣିବି ତୁମ କୀର୍ତ୍ତି…..
ଅତି ଅକିଞ୍ଚନ ଅଧମ ଅଜ୍ଞାନ
ମୁଁ ହୀନ ମନୁଷ୍ୟ ଅତି ll
ଶ୍ରୀରାଧା ଭାବକୁ ହୃଦେ ବହି ନିଜେ
ଲେଖିଲ ଶ୍ରୀଭାଗବତ,
ତେଣୁ ରାଧା ନାମ ଭାଗବତେ ନାହିଁ
ବିଚିତ୍ର ହେ ଜଗନ୍ନାଥ,
ଆତ୍ମା ତୁମ୍ଭ ନିତ୍ୟ ସତ୍ୟ…..
ପ୍ରଭୁପ୍ରାଣ ତୁମେ ଶ୍ରଦ୍ଧାଞ୍ଜଳି ଦେଇ
ହୋଇଗଲି କୃତ୍ୟ କୃତ୍ୟ ll
ଜଗନ୍ନାଥ ତୁମ ଜଗନ୍ନାଥ ଭାବ
ଅନନ୍ୟ ନବାକ୍ଷରୀରେ,
ତତ୍ତ୍ୱରସ ଭରା ଭାବ ଭକ୍ତି ତୋରା
ନାହିଁ କେଉଁ ପୁରାଣରେ,
ଏଣୁ ଏ ମହାପୁରାଣ……
ସର୍ବ ଶାସ୍ତ୍ରଠାରୁ ସ୍ୱତନ୍ତ୍ରତା ରଖେ
ଭାବ ଏଥିରେ ଅନନ୍ୟ ll
ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା
ଖଣ୍ଡିତର, ରସୁଲପୁର, ଯାଜପୁର
Readers Interaction