ଭଲ ଲାଗେ ଆଜି ତାରା ଭରା ରାତି
ଖୋଲା ଆକାଶ ଛାତିରେ |
ମଳୟ ପବନ ବଦନ କୁ ଛୁଏଁ
ଜହ୍ନ ରହିଛି ସାଥିରେ ||
ଜହ୍ନ ର ଆଲୋକ ଶୀତଳ ଜୋଛନା
ଚକୋରୀ କୁ ଖୋଜୁଥାଏ |
କୁହୁକୁହୁ ଡାକେ ନିଶାଚର ପ୍ରାଣୀ
ଶିହରଣ ମନେ ଥାଏ ||
ଦୂର ଆକାଶ ର ମଉଡମଣୀ ସେ
ସଭିଏଁ କୁହନ୍ତି ଜହ୍ନ |
କଅଁଳ ନୂତନ ଡେଣା ଚକୋରି ର
ପାଖକୁ ଯିବାକୁ ମନ ||
ପ୍ରେମ ଅଛି ବୋଲି ଚକୋରି କହେନି
କହେନାହିଁ କେବେ ଜହ୍ନ |
କହିନପାରିକି ପ୍ରେମ ଅଛି ବୋଲି
ନୀରବେ ବାହୁନେ ମନ ||
ଜହ୍ନ କି ଜାଣିଛି କିଛି କ୍ଷଣ ପରେ
ଆକାଶ ରୁ ଲିଭିଯିବ |
ପୁନେଇଁ ହେଉ କି ହେଉ ବା ଉଆଁସ
ଚକୋରି ତ ଖୋଜୁଥିବ ||
ଚକୋରି କହୁଛି ଜହ୍ନ ର ଜୋଛନା
ଆତ୍ମା କୁ ଛୁଇଁଲେ ହେଲା |
ସେଥିପାଇଁ ବୋଧେ ପବିତ୍ର ଏ ପ୍ରେମ
ଗଢିଛି ଉପରବାଲା ||
ବିମଲ ସାସ୍ମଲ
ଭୁବନେଶ୍ୱର
Readers Interaction