ସବୁରି ସାଥୀରେ ସହଭାଗିତାରେ
କରିଯିବା କର୍ମ ସଂସାର ପାଇଁ,
ସକଳ କର୍ମରେ ମାନବ ଧର୍ମରେ
ଖୁସିରେ ଜୀବନ ହସିବ ଯହିଁ।
ମଣିଷତ ଆମେ ଅମଣିଷ କର୍ମେ
ଲାଗିବା ମରତେ କେମିତି କହ,
ଅକାଳେ ସଂସାର ହେବ ନାରଖାର
ମଣିଷ ହୋଇ କି ସହିବ ଦେହ?
ଜୀବ ମଧ୍ୟେ ସାର କେଉଁ ପରକାର
ବୋଲାଇବା ,କିଏ ମଣିବେ କାହିଁ,
ସବୁରି ସାଥୀରେ ସହଭାଗିତାରେ
କରି ଯିବା କର୍ମ ସଂସାର ପାଇଁ।
ସହଭାଗିତାରେ ଏକତା ବଳରେ
କର୍ମେ ସରସତା ରହେ ଭକତି,
ଶାଶ୍ୱତ ପ୍ରେମରେ ସବୁରି ଶ୍ରମରେ
ମିଳେ ସହଯୋଗ ବଢ଼େ ଶକତି।
ବିଶ୍ୱ ପ୍ରେମେ ଧରା ହସି ଉଠେ ପରା
ଏକ ପରିବାର ଭାବ ଉଦୟ,
ପ୍ରଗତିର ଗତି ହୁଏ ଦ୍ରୁତ ଅତି
ନ ରହେ ଅଭାବ ନ ଥାଏ ଭୟ,
ସେନେହ ସରାଗ ସେବା ସମଭାବ
ବିଚାରେ ବିଶ୍ୱର ଶୋଭା ବଢ଼ଇ,
ସକଳ କର୍ମରେ ମାନବ ଧର୍ମରେ
ଖୁସିରେ ଜୀବନ ହସିବ ଯହିଁ।
ଏକାତ୍ମ ସ୍ୱଭାବ ବିଶ୍ୱ ଭାତୃଭାବ
ଭେଦ ଭାବନାର କରେ ବିଲୟ,
ସତ୍ୟ ଅହିଂସାରେ ପ୍ରଗତି ପଥରେ
ମାନବ ବାଦର ହୁଏ ବିଜୟ।
ସୀମାଞ୍ଚଳ ପଣ୍ଡା
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,
Readers Interaction