ଧୂର୍ଜଟି ଜଟା ମଣ୍ଡିତା ମୁଁ ଯେ
ବିଷ୍ଣୁ ପଦସୃତ ସୁରଧୁନୀ
ତ୍ରିପଥ ଗାମିନୀ ପୀୟୂଷ ପ୍ଳାବିନୀ
ଗତିଶୀଳା ଏକ ଯାଜ୍ଞସେନୀ ।।
ବିଷ୍ଣୁପଦୀ ମୁଁ ବିଷ୍ଣୁ ପଦରୁ
ଅବତରୀ ଆସି ଧରାତଳ
ଚିରନ୍ତନୀ ମୁଁ ଯେ ଚିନ୍ମୟୀ ନଈ
ଦୁର୍ବାର ଗତି ମୋ ଚିରକାଳ ।।
ଦୁର୍ଗମ ପଥଚାରିଣୀ ମୁଁ ପରା
ଅତଳେ ବିତଳେ ମହୀବକ୍ଷେ
ସ୍ବର୍ଗରୁ ଆସି ମିଶିଛି ଧରାରେ
ଜୀବାତ୍ମା ମୁକ୍ତିର ମହାଲକ୍ଷ୍ୟେ ।।
ଭୂଦେବୀର ମୁଁ ଯେ ମାନସ କନ୍ୟା
ଭୂମାଠାରୁ ନୁହେଁ ଅବିଛିନ୍ନ
କଲ୍ୟାଣ ବାରି ବିତରି ବିତରି
ଆୟୁଷମୋ ହୁଏନାହିଁ କ୍ଷୁର୍ଣ୍ଣ ।।
କଳ କଲ୍ଲୋଳର ଔଜଲ୍ୟ ଧାରା
ଶ୍ୟାମଳ ଧରଣୀ ମୃଣ୍ମୟୀ ଅଙ୍ଗେ
ସ୍ନେହ ସଞ୍ଚିତ ଅନ୍ତର ମୋର
ପାପନାଶିନୀ ମୁଁ ଜନନୀଗଙ୍ଗେ।।
କେତେମରୁପଥେ ଭରିଦେଇଛି ମୁଁ
ଜୀବନରେ ମଧୁ ମାଧୁରିମା
ଚିର ବତ୍ସଳା ମୋ ଉପକୂଳ ଧାରେ
ସୃଜନର ଚାରୁ ସବୁଜିମା ।।
ଅଞ୍ଚଳରେ ଧୋଇ ପାପ କଳୁଷ ମୁଁ
ଏ ମାଟି ମଣିଷ ଦୁଃଖ କ୍ଳେଶ
ମୁଁ ଯେ ସୁରଧୁନୀ ମୁକ୍ତି ପ୍ରଦାୟିନୀ
ସଦଶିବେ କରି ପରିତୋଷ ।।
ବନ୍ଧନ ଡେଇଁ ମୁଁ ବନ୍ଧୁର ପଥେ
ଦେଇଛି ମୁକତି ମୋକ୍ଷ ମାର୍ଗ
ମୃତ୍ୟୁଞ୍ଜୟା ମୁହିଁ ମର୍ତ୍ତ୍ୟେ ବହୁଛି
ତ୍ୟାଗକରି ଚିର ଭୋଗସ୍ବର୍ଗ ।।
ମମତା ଚୁମ୍ବନ ଜୀବନ ସ୍ପନ୍ଦନ
ମୋରଏ ପବିତ୍ର ପୟଧାର
ପୁଣ୍ୟମୟ ବ୍ରତେ ବିଶ୍ବକଲ୍ୟାଣାର୍ଥେ
ଗତି ମୋର ସଦା ନିର୍ବିକାର ।।
ସଦା ବନ୍ଦିତା ମୁଁ ଅଭିନନ୍ଦିତା
ମାଟି ମରତର ମନ୍ଦାକିନୀ
ଦୀନ ଦୁର୍ଗତର ଦୁଃଖ ହାରିଣୀ ମୁଁ
ମୋକ୍ଷ ମୁକ୍ତି ଦାତ୍ରୀ ସୁରଧୁନୀ ।।
ତ୍ରିତାପ ନାଶିନୀ ପତିତ ପାବନୀ
ପ୍ରଣବ ସ୍ବରୂପା ଅମୃତମୟୀ
ନୀଳ ନର୍ବାଣର ପୁଣ୍ୟ ସ୍ରୋତସ୍ବିନୀ
ମାଟିମର୍ତ୍ତ୍ୟେ ପାପନାଶିନୀ ମୁହିଁ ।।
ବେଣୁଧର ସୂତାର
କେଶଦୁରାପାଳ
କେନ୍ଦୁଝର
ଦୂରଭାଷ-୯୧୭୮୫୬୮୨୪୬
Readers Interaction