ଗାଡିଘୋଡା , ଚାକର ବାକର
ମଉଜ ମସ୍ତି ଓ ଗହଣା ଗାଣ୍ଠି ,
ଖିରିପୁରି ପିଠାପଣା ଖୁସିବାସି
ସବୁ ଆଣ୍ଟକରି ଧରିଛି ତଣ୍ଟି ।
ବଦ ହଜମ ଅଥବା ବଦଖର୍ଚ୍ଚ
ବ୍ୟସ୍ତ ଭିତରେ ସମୟ ଅଭାବ,
ଗହଳି ଚହଳିରେ ଅଣନିଶ୍ଵାସ
ପ୍ରାୟ ନଇରେ ବୁଡ଼ୁଥିବା ନାଵ।
ବଡ଼ ବାଉଁଶରେ ବେଶି ପୋଲ
ନଈବାଲି ପରି ଟଙ୍କା ଓ ପଇସା,
ଘୋର ଜଞ୍ଜାଳରେ ମାଡ଼ି ଆସି
ଗର୍ବକୁ ଦିଗୁଣିତ କରୁଛି ସହସା ।
ଖତେଉଛି ସିନ୍ଧୁକ ଭର୍ତ୍ତି ଟଙ୍କା
ବାହୁବଳ ଓ ଉଛୁଳା ଯୌବନ,
ସବୁତୁଚ୍ଛ ଜଦି ନାହିଁ ସୁଖଶାନ୍ତି
ଆନନ୍ଦ ଓ ନିରାମୟ ଜୀବନ ।
ସୂଚିତ କରୁଛି ଅଜଣା ବ୍ୟାଧି
କାହାକୁ ନେଇ କରୁଛ ଗର୍ବ,
ଦି’ ଦିନର ଜୀବନ କାହାଣୀ
ସବୁକିଛି ମିଛ ଓ ଅପାର୍ଥିବ ।
ମୋହ ମାୟା ପରା ଅତିଶୟ
ବଡ଼ାଇଥାଏ ୠଣ ପାରାବାର ,
ସୁଝି ନପାରି ଆପଣାର ଲୋକ
ହୋଇଥାନ୍ତି ସଂସାରୁ ବାହାର ।
ଦୀନବଂଧୁ ବେଜ
ଏମି.ଭି:-୧୯,ମାଲକାନଗିରି
ଓଡ଼ିଶା, ଭାରତ
Readers Interaction