ନାମରସ ପାନ କରରେ ମନୁଆ
ମାୟା ସଂସାରରେ ରହି
ରାମ କୃଷ୍ଣ ନାମ ଭଜିବୁରେ ମନ
ମୁକତି ଲଭିବୁ ତୁହି ।୧।
ଦସ୍ୟୁ ରତ୍ନାକର ମରା ମରା କହି
ରାମ ରାମ ଭଜିହେଲା
ପ୍ରଭୁଙ୍କ କୃପାରୁ ଏଭଵ ସଂସାରେ
ବାଲ୍ମୀକ ପାଲଟି ଗଲା ।୨।
ଏସଂସାର ମିଛ ସବୁଏଠି ତୁଛ
କୃଷ୍ଣ ରାମ ନାମ ସତ୍ୟ
ସଂସାରୁ ତରିବୁ ମୁକତି ଲଭିବୁ
ରାମ କୃଷ୍ଣ ଭଜ ନିତ୍ୟ ।୩।
ଶ୍ରୀରାଧା ମୋହନ ଯଶୋଦାର ଧନ
ମାରିଲେ ଯେତେ ଅସୁର
କୁବୁଜାକୁ କଲେ ରୂପସୀ ସୁନ୍ଦରୀ
ଗୋପୀ ଚିତ୍ତ ମନ ଚୋର ।୪।
ଚକ୍ର ପେଷି ନକ୍ର ନାଶିଥିଲେ ପ୍ରଭୁ
ଗଜକୁ ଉଦ୍ଧାର ପାଇଁ
ମୃଗୁଣୀ ବିକଳ ସହି ପାରିଲେନି
ବ୍ୟାଧକୁ ନାଶିଲେ ଯାଇ ।୫।
ସଖାହୋଇ ଦେଲେ ବୀର ଅର୍ଜୁନଙ୍କୁ
ଯୁଦ୍ଧକ୍ଷେତ୍ରେ ଗୀତା ଜ୍ଞାନ
କୁରୁସଭାତଳେ କୋଟି ବସ୍ତ୍ର ଦେଇ
ରଖିଲେ ପାଞ୍ଚାଳୀ ମାନ ।୬।
ପାପୀ ଅଜାମିଲ ପୁତ୍ର ନାମ ଜପି
ତାରିଥିଲେ ନାରାୟଣ
ପତିତ ତାରଣେ ବଡ଼ ଦେଉଳରେ
ଉଡେ ପତିତପାବନ ।୭।
ଆରତ ନାଶନ ପତିତପାବନ
ଯୁଗେଯୁଗେ ଦୁଃଖୀ ଦୁଃଖ
ଡାକ ଶୁଣିବାକୁ କାନ ଡେରିଥାନ୍ତି
ଯାଚି ଦେଇଥାନ୍ତି ସୁଖ ।୮।
ସଂସାର ନାଵରେ ନାଉରୀ ସେ ଏକା
ଧରିଛି ସଂସାର କାତ
ପାରିକରି ଦେବ ସେକଳା ନାଉରୀ
ଦୟାର ଅଦେଖା ହାତ ।୯।
ଭଜରେ ମନୁଆ ଜପରେ ମନୁଆ
ହରେକୃଷ୍ଣ ହରେ ରାମ
ନାମ ଜପୁଥିଲେ ରାମକୁ ପାଇବୁ
ପୂର୍ଣ୍ଣ ହେବ ମନସ୍କାମ ।୧୦।
ସୁରେନ୍ଦ୍ର କୁମାର ବେହେରା
Readers Interaction