ଶୀତ ରେ ଶୀତ
ତୁ ଆମ ମିତ
ତୋ ବାଟ ଚାହିଁ,ତୋ କଥା ଭାବି
ଗାଉଛି ଗୀତ।
ଟପର ଟପର
ପଡେ କାକର
କେଡେ ସୁନ୍ଦର,ଭିଜାଇ ଦିଏ ସେ
ଗଛ ପତର।
ହଳଦୀ ମାଖି
ମେଲାଇ ଆଖି
ବାଡି ବଗିଚା ରେ ଗେଣ୍ଡୁ ଫୁଲ ଝୁଲେ
ଆଖି ଯାଉଛି ଲାଖି।
ସବୁଜ କ୍ଷେତ
ମଜା ବହୁତ
ଶୀତ ସକାଳେ ଚଷା ଭାଇ ଗାଏ
ଆନନ୍ଦେ ଗୀତ।
ଶୀତ କୁ ଡରି
ମନକୁ ମାରି
ଅଳସୁଆ ହୋଇ ବସିବାନି କେବେ
ଯିବାଟି ହାରି।
ଜୀବାଣୁ ବଂଶ
ହୁଅଇ ନାଶ
କାଲୁଆ ଶୀତଟା ଭାରି ଉପକାରୀ
ଭାରି ସରସ।
ଋତୁଚକ୍ରରେ
ଛଅ ଋତୁ ରେ
ଖରା, ବର୍ଷା,ଶରତ, ହେମନ୍ତ,ଶୀତ ଓ ବସନ୍ତ
ଆସେ ସଧିରେ।
ଯତନ କରି
ରଖିବା ଧରି
ଆମ ପରିବେଶ ନଷ୍ଟ ହୋଇଗଲେ
ଯିବାଟି ମରି।
ଗଛ ଲଗାଇ
ଦେବା ବଢାଇ
ଋତୁ ଅନୁଯାୟୀ ନାନା ଜାତି ଫଳ
ଦେବାଟି ଖାଇ।
ସୁସ୍ମିତା ଶତପଥି
ଅଧ୍ୟାପିକା, ଟ୍ରାଇଡେଣ୍ଟ୍ ଇଂ କଲେଜ
ଭୂବନେଶ୍ଵର
Readers Interaction