ମଣିଷ ଜୀବନ ସୁଖ ,ଦୁଃଖ ,ପାପ ପୁଣ୍ୟ
ଲୋଭ ମୋହ ମାୟାମରୀଚିକା ପୂର୍ଣ୍ଣ
ସତରେ ଠାକୁର ତୁମେ ଜନ୍ମ ଦେଇଛ ସଭିଙ୍କୁ
ଗର୍ବ ଅହଂକାରକୁ କରିଥାଅ ଚୁର୍ଣ୍ଣ ।
ତୁମେ ତ ଶିଖାଇଛ ଆମ ମଣିଷ ଜାତିଟାକୁ
ସତଚିନ୍ତା,ସତକର୍ମ କରିବାପାଇଁ
ଦେଇଛ ଜନମ କରମ ତ ସବୁ ନିଜ ନିଜର
ବଂଚିବାକୁ ସାରା ଜୀବନ ନେଇ ।
ମୋତେ ଦୁର୍ଲ୍ଲଭ ଜୀବନ ଦେଇଛ ପ୍ରଭୁ ହେ
କେବେ ବି ଭୁଲ ବୁଝିବିନି
ଉପହାର ମୋତେ ଦେଇଛ ଏ ସୁନ୍ଦର ସୃଷ୍ଟି
ଦୋଷ କେବେ ପ୍ରଭୁ ଦେବିନି ।
ଆଖି,କାନ,ଗୋଡ଼,ହାତ,ସାରା ଶରୀର
ଆଉ ଏଇ ଭଵ ପାରାବାର
ଗଛ,ବୃକ୍ଷ,ଲତା,ନଦୀ,ବନ ଗିରି ,ପ୍ରକୃତି
ଦେଇଛ, ବଂଚିବାକୁ ଅଧିକାର ।
ଆକାଶ,ସୂର୍ଯ୍ୟ,ଚନ୍ଦ୍ର,ତାରା ,ରାତି ଦିନ
ଗାଆଁ,ସମାଜ,ପରିବାର,ସହର
ସବୁ ତ ଦେଇଛ ଅଜାଡି ମୋ ହାତରେ
ବାପା,ମାଆ,ବନ୍ଧୁ ସୋଦର ।
ତୁମେ ତ ସକଳ ଶକ୍ତିର ଆଧାର ଠାକୁରେ
ରଖିଛ ସବୁ ମୋହରି ପାଇଁକି
ମୁଁ ଯଦି ନ୍ୟାୟ ବାଟରେ ନ ଚାଲିବି ତେବେ
ତୁମକୁ ଭୁଲ ବୁଝିବି ବା କାହିଁକି ?
ପାଖେ ପାଖେ ସବୁ ଖଞ୍ଜି ଦେଇଛ ମୋତେ
ଏ ଶରୀରଟି କେବଳ ନଶ୍ଵର
ଅଢେଇ ଦିନିଆ ଜୀବନ ମାତ୍ର ଏ ସଂସାରେ
ମନରେ କ୍ଷୋଭ ନ କର ।
ମୋ କର୍ମ ନେଇ ମୋ ଫଳ ଭୁଞ୍ଜୁଥିବି ସଦା
ଦୁଃଖ କେବେ ମୁହିଁ କରିବିନି
ଯେତେ କଷ୍ଟ ଝଡ ଝଞ୍ଜା ସବୁ ମୋ ନିଜର
ତୁମକୁ କେବେ ଭୁଲ ବୁଝିବିନି ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।
Readers Interaction