ନାରୀ ଟିଏ ଅଟେ
ଶାଶୁ, ବୋହୂଟିର
ପୁଣି ଯେ ଜ୍ବାଇଁ ପୁଅର,
ଦୁଇଟି ସ୍ଥାନରେ
ଦୁଇ ଅବତାର
ଏକି ଅନ୍ୟାୟ ବିଚାର ?
ଝିଅ ହେଉ ମୋର
ଘର ମାଲିକାଣୀ
ଶାଶୁ ତାର ବୋଲ କରୁ,
ବୋହୂ ମୋର ହେଉ
ଘର ଚାକରାଣୀ
ପୁଅ କୁ ହାତର ନ କରୁ।
ନିତି ଝିଅ ଯାଉ
ଜ୍ବାଇଁ ସହିତରେ
ବଜାର ବୁଲିବା ପାଇଁ,
ବୋହୂକୁ ବଜାର
ବୁଲିବାକୁ ମନା
ରହୁ ଚାକରାଣୀ ହୋଇ।
ଝିଅର ଶାଶୁ ଟି
ହେଉ ସହାୟିକା
ମୋ ଝିଅ ଘର କାମରେ,
ବୋହୂ ନିଜେ ସବୁ
କାମ କରୁ ଘରେ
ଚାକରାଣୀ ହୋଇ ଘରେ।
ସପ୍ତାହ କୁ ଥରେ
ଝିଅ ସହ ଜ୍ବାଇଁ
ବୁଲି ଆସନ୍ତୁ ଘରକୁ,
ମୋ ଘର କାମ ଯେ
ଅନେକ ରହିଛି
ବୋହୂ ନଯିବ ଦାଣ୍ଡକୁ।
ଗୋଟିଏ ଲୋକ ଯେ
ଶାଶୁ ଦୁହିଁଙ୍କର
ଏହି କି ଅନ୍ୟାୟ ନୀତି,
ସମାଜେ ଆମର
ଚଳି ଆସୁଅଛି
ଅନ୍ୟାୟ ଯେ ବୋହୂ ପ୍ରତି।
ପ୍ରସନ୍ନ କୁମାର ସାହୁ
ବ୍ରହ୍ମପୁର,ଗଞ୍ଜାମ।
Readers Interaction