ପୂରୁବ ଦିଗରେ ସିନ୍ଦୁରା ଫାଟିଲା
ଉଦୟ ଭାନୁ ର ହସ,
ନବ ଶିଶୁ ଟିର ବିଳାପେ ଲିଭିଲା
ଅନ୍ଧକାର ମୁକ୍ତାକାଶ।
ବଗିଚାରେ ଟିକି ଚାରା ବୃକ୍ଷ ଟିଏ
କଅଁଳ ମନର ଶିଶୁ,
ଆକାଶକୁ ମୁଣ୍ଡ ଟେକି ଛୁଇଁ ଯିବି
ଯେତେ ଯେତେ ବିଘ୍ନ ଆସୁ।
କୁଆଁ କୁଆଁ ରାବେ ଆହ୍ୱାନ ଦେଉଛି
କର ନାହିଁ ଅବହେଳା।
ଦେବ ଶିଶୁ ସେତ ଉପେକ୍ଷା କରିଲେ
ବୁଡିଯିବ ସବୁଭେଳା।
ଶିଶୁ କୁ ଶ୍ରମିକ ସଜେଇ ଦିଅନା
ଶୈଶବ କରେ ବିଳାପ,
ଖାଇବାକୁ ମୁଠେ ପାଏନାହିଁଭାତ
ମୁଣ୍ଡରେ ବଢଇ ଚାପ।
ମାରିଦିଅ ନାହିଁ କନ୍ୟା ଭ୍ରୁଣ ସବୁ
ସୃଷ୍ଟି ର ଗୌରବ ସିଏ,
ଶ୍ରମିକ ଭାବରେ ସଜେଇ ଦିଅନା
ଦେଶର ସୈନିକ ସିଏ।
ପିତା ମାତା ମାନେ ନିଷ୍ପାପ ଶିଶୁ କୁ
ଯତନରେ ପ୍ରତିପାଳ,
ଭରିଦିଅ ଶ୍ରଦ୍ଧା ଖାଦ୍ୟସାର ପ୍ରାଣେ
ଦେହେ ଭରିଯାଉ ବଳ।
ଆଜିର ଯେ ଶିଶୁ କାଲିର ଭବିଷ୍ୟ
ଶିଶୁ ର ବିଳାପ କୁହେ,
ଦେଶ ଜାତିର ସେ ଜାଗ୍ରତ ପ୍ରହରୀ
ସଭିଙ୍କ ମନକୁ ମୋହେ।
ଛବିନା ବାଳା ସେନାପତି, କଟକ
Readers Interaction