ଆମ ପରିବାର ସୁଖୀ ପରିବାର
ବୈକୁଣ୍ଠ ସମାନ ଘର
ମିଳିମିଶି ଆମେ ଚଳିବା ଶିଖିଛୁ
ସବୁ ଏଠି ଆପଣାର ।୧।
ଘର ପାଇଁ ଯାହା ଯେତେବେଳେ ଲୋଡା
ଜେଜେବାପା ଆଣିଥାନ୍ତି
ଘରର ମୂରବି ଯାହା କହିଥାନ୍ତି
ଘର ଲୋକେ ମାନିଥାନ୍ତି ।୨।
ବୁଢୀମା ଘରର ଯେତେ ସବୁ କାମ
ସକାଳରୁ ସଞ୍ଜ ଯାଏ
ଆପଣା ଖୁସିରେ ଚଳାଇ ନିଅନ୍ତି
ମନରେ ଦୁଃଖ ନଥାଏ।୩।
ସକାଳ ସଂଜରେ ଠାକୁର ପୂଜନ୍ତି
ଆମକୁ କୁହନ୍ତି ଗପ
ଆଚାର ବିଚାର ଯେତେକ ସଂସ୍କାର
ପ୍ରତିଦିନ ଜପ ତପ ।୪।
ଗାଈଗୋରୁ ଙ୍କର ଖାଇବା ଖବର
ଚଢେ଼ଇଙ୍କ ପେଟ କଥା
ଆମ ପରମ୍ପରା ସଂସ୍କୃତି ନିଆରା
ଦେଶ ଜାତି ଆମ ପ୍ରଥା ।୫।
ଶାନ୍ତି ଶୃଙ୍ଖଳାରେ ନୀତି ନିୟମରେ
ସାରା ପରିବାର ଚାଲେ
ସବୁବେଳେ ବେଶି ହସ ଖୁସି ମିଳେ
ବୁଢୀମା ପାଖରେ ଥିଲେ ।୬।
ବୁଢୀମା ଆମର ଦେବୀ ଟିଏ ହୋଇ
ଆମକୁ ହୁଅନ୍ତି ସାହା
ଆମ ପରିବାର ଖୁସି ଲାଗେ ମତେ
ପାଖରେ ବୁଢୀମା ଠିଆ ।୭।
ସୁରେନ୍ଦ୍ର କୁମାର ବେହେରା
Readers Interaction