ପାଳ ଭୂତ
********
ବିଶ୍ୱାସ ଓ ଅବିଶ୍ୱାସ ମଝିରେ
ତୁ କେବଳ ଭରସା
ଯଦିଓ ତୁ କେରେ କୁଟା ଆଉ ଦଉଡିରେ ତିଆରି
ତ ପୋଷାକ ଛିଣ୍ଡା ଖଣ୍ଡେ
ତଥାପି କ୍ଷେତ ଜଗି ଦାନା ଦେଉ
ଏ ଜଗତକୁ
ତୁ ତ କେବଳ କ୍ଷେତର ଜଗୁଆଳି ଚିରକାଳ
କିଏ ବୁଝୁ ଵା ନ ବୁଝୁ ?
ସମୟ ସହ ମିତ ବସାଇ
ତୁ ହସୁ ଯେତେବେଳେ ସୁନା ଫସଲ
ମୁଣ୍ଡ ନାଡେ
ତୁ କାନ୍ଦୁ, ବନ୍ୟା ଓ ମରୁଡି ର
ପ୍ରକୋପ ଭରା ଅଲକ୍ଷଣୀ ଚାହାଁଣୀରେ
ହେଲେ ତୁ ସଚ୍ଚା ବନ୍ଧୁଟିଏ
ଆକାଶ ତ ଘର ଛାତ
ମାଟି ତୋ ମା
ଫସଲ ତୋ ସ୍ବପ୍ନ
ତୁ ନର୍ବିକାର
ନା ଲୋଭ, ନା ଆସକ୍ତି
ତ୍ୟାଗ, ସମର୍ପଣର ତୁ ଏକ ମୃଣ୍ମୟମୂର୍ତ୍ତି
ଆଈମା ଥରେ ଥରେ ଗପ କହେ
ନାତିକୁ ଡ଼ରାଇବା ପାଇଁ ତୋ ରୂପ କହି
ତତେ ଦେଖି ଡରି ଯାନ୍ତି ଚଢେଇ,
ହେଲେ ତୁ ତ ଦିବ୍ୟ ଭରସା ର, ନୂଆ ଚେତନାର ଏକ ଯୁଗଳ ମୂର୍ତ୍ତି
ଅଳୀକ ଭାବନାରେ ତୋ ଜନ୍ମ
ନିଃସହାୟ ଗୀତ ରେ ସ୍ଥିତି
ବର୍ଷା, ଖରା ରେ ମରଣ
ହେଲେ ତୋ କର୍ମ ଆନନ୍ଦମୟ ଗଳ୍ପର
ଏକ ନବ ପରିଭାଷା
ତୁ ଶୁଣାଉ ନିଉଛୁଣା ଜୀବନର ଗୀତ କେବେକେବେ ପାଲଟି ଯାଏ
ଦିବ୍ୟ ସଂଗୀତ ମୟ ମଧୁର ମୂର୍ଚ୍ଛନା l
ନଳିନୀ କାନ୍ତ ପାଢ଼ୀ
Readers Interaction