ନିଜକୁ ମାଗୁଛି ନିଜେ ଅନୁମତି – ଚିନ୍ମୟୀ ପ୍ରଧାନ

Views: 13
0 0
Read Time:2 Minute, 21 Second

ଜୀବନର ଏଇ ଅଙ୍କାବଙ୍କା ରାସ୍ତା
କଣ୍ଟକିତ ପଥେ ଚାଲି,
ପଡ଼ିଲିଣି ଥକି ପାରୁନାହିଁ ଆଉ
ବସି ଭାବିହୁଏ ଖାଲି।

ଜୀବନର ଅଙ୍କ ଯୋଗକୁ ବିୟୋଗ
ଗୁଣନ ହରଣ କରି,
ପାଏନା ନିଷ୍କର୍ଷ ହରାଇଛି ଅବା
ପାରିଛି ସଞ୍ଚୟ କରି।

ଜୀବନର ଆଦ୍ୟ ଗୁରୁ ପିତାମାତା
ଶିଖାଇଲେ କହି କଥା,
ବିଦ୍ୟାଦାତା ଗୁରୁ ଶିକ୍ଷକ ମୋହର
ଦେଖାଇଲେ ନୂଆ ରାସ୍ତା।

ଜୀବନେ ଆସିବ ଝଡ଼ଝଞ୍ଜା କେତେ
କହିଥିଲେ ମତେ ସେହି,
ହାରିବୁନି କେବେ ଭାଙ୍ଗିବୁ ନାହିଁ ଟି
ମଥାପାତି ଯିବୁ ସହି।

ଜୀବନ, ଶରୀର, ମନ ଓ ବିବେକ
ସବୁ ତ ପରିପୂରକ,
ଶରୀରଟା ଥିଲେ ଜୀବନଟା ଥାଏ
ଶୁଣନ୍ତି ମନ ବିବେକ।

ଜୀବନଟା ଖାଲି ଯନ୍ତ୍ରଣା ଦିଏ ତ
ଅନ୍ୟାୟ ଅନୀତି ଦେଖି,
ସହି ହୁଏ ନାହିଁ ରହି ହୁଏ ନାହିଁ
କାନ୍ଦୁଥାଏ ନୀତି ଆଖି।

ଜୀବନ ଥାଇକି କିବା ହେବ ଲାଭ
ଦେଇ ନ ପାରିଲେ ନ୍ୟାୟ,
ନିଜକୁ ମାଗୁଛି ନିଜେ ଅନୁମତି
ଛାଡି ଯିବାପାଇଁ କାୟ।

ଚିନ୍ମୟୀ ପ୍ରଧାନ, କଟକ

Share this :
Next Post

ବିଜ୍ଞାନର ଦୁରୁପଯୋଗ - ସୁକାନ୍ତ ଖଣ୍ଡା

ବିଜ୍ଞାନ ବଳରେ ବଳିୟାର ହୋଇ ଅନ୍ଧାରେ ରହୁଛୁ ଏବେ ସକଳ ଶକ୍ତିର ଆଲୋକ ବି ଏବେ ନିଷ୍କ୍ରିୟ ପରାଏ ଭବେ।୦ ଗାଡି଼ ମୋଟରଙ୍କ ଧୂଆଁରେ ପୂରୁଛି ସାରା ଏ ପୃଥିବୀ ଆମ କଳ କାରଖାନା ଯୋଗୁଁ ଶ୍ବାସକ୍ରିୟା ବିଜ୍ଞାନ କରୁଛି ଭ୍ରମ।୧ ଆଜି ତ ସର୍ବତ୍ର ବଢି଼ ଯାଇଅଛି ପୃଥିବୀରେ ଯେତେ ଦେଶ ଆମ ଦିଲ୍ଲୀବାସୀ ଦୃଷ୍ଟାନ୍ତ ଦେଉଛି ସଦା ହୋଇଛନ୍ତି ବଶ।୨ ଦିନ ଦଶଘଡି଼ ହୋଇଥିଲେ ସୁଦ୍ଧା କୁହୁଡି଼ […]

Subscribe US Now