ମଧୁଝରା ଯାର ନରମ ଓଠରେ
ଝରେ ସାରସ୍ବତ ଧାରା
ଚାରୁ ଛନ୍ଦିତ ଭାଷାରେ ଯାହାର
ଭାବ ତନ୍ମୟତା ଭରା ।।
ସାହିତ୍ୟକେଦାର ଶ୍ୟାମଳମଞ୍ଜୁଳ
ଚିତ୍ରମୟୀ ଚାରୁ ଲତା
ପ୍ରୀତି ପ୍ରମୋଦିତ ଭାବମୟ ଛନ୍ଦ
ପରିବ୍ୟାପ୍ତ ନିବିଡତା ।।
ମାନସ ନୟନ କରେ ଉନ୍ମିଳନ
ଲାବଣ୍ୟବତୀ ର କାୟା
ଚିର ତାରୁଣ୍ୟ ତା ମହକ ମାଦକ
କାଉଁରୀ କାମାକ୍ଷି ମାୟା ।।
କବି ହୃଦୟର କଳ୍ପନା ନିର୍ଝର
ସୁନ୍ଦର ଉପମା ଧାରେ
ଯା ଭାଵ ଉଛୁଳା ମୁଗ୍ଧ ଚାରୁକଳା
ତନ୍ମୟ ସପନ ତୀରେ ।।
ଅଙ୍ଗେ ଯାରଭରା ପୀୟୂଷ ପସରା
ମଧୁଝରା ମଧୁଗନ୍ଧ
ଚାରୁ ଚମତ୍କାର ଭାଷା ବିନ୍ୟାସର
କବିତା ତନ୍ମୟ ଛନ୍ଦ ।।
ମୃଦୁମନ୍ଦହାସୀ ଲାସ୍ୟ ମଦାଳସୀ
ଲଲାମ ଲାବଣ୍ୟମୟୀ
ରୁଚିର ବିଭୋର ପ୍ରଜ୍ଞା ମହକର
ଅମୃତ ଆହ୍ଲାଦ ଦାୟୀ ।।
ତା ଭାବ ମଧୁର ମଦିରା ମାଦକେ
ବିଭୋର ବିଜ୍ଞ ଜନେ
ଉପଭୋଗ୍ୟା ସେତ ରସିକ ଜନର
ପୁଣ୍ୟ ମୟ ପ୍ରୀତି ଦାନେ ।।
କଳ୍ପନା ଯାହାର ଅପୂର୍ବ ସମ୍ଭାର
ରସସିକ୍ତ ଭାବନାର
ନିଖୁଣ ସୃଷ୍ଟିର ସୁନ୍ଦର ସ୍ରଷ୍ଟା ସେ
ଷଡରସ ଐଶ୍ବର୍ଯ୍ୟର ।।
ଚିର ବନ୍ଦିତ ଲେଖନୀ ତୁମର
ଭାସ୍ବର ଅନୁପମ
ଅନ୍ତରେ ତବ ବିଶ୍ବ କଲ୍ୟାଣ
ପବିତ୍ର ବିଶ୍ବ ପ୍ରେମ ।।
ସୃଷ୍ଟି କରିଯାଅ ଭାବର ଗୁମ୍ଫନେ
ସମ୍ପର୍କର ସୁନାକ୍ଷେତ
ଯା ଲେଖନୀ ମୁନ ଅଟେ ଚିରନ୍ତନ
ବିଶ୍ବହିତେ ଅଭିପ୍ରେତ ।।
ଭବ୍ୟ ଉପହାରେ ସୃଷ୍ଟିର ସମ୍ଭାରେ
ପୁଲକିତ ବିଶ୍ବପ୍ରାଣ
ପ୍ରଜ୍ଞାମୟ ଦ୍ୟୁତି ଅମିୟ ସଂପ୍ରୀତି
କବିତା ର ଉତ୍ତରଣ ।।
ବେଣୁଧର ସୂତାର
କେଶଦୁରାପାଳ
କେନ୍ଦୁଝର
Readers Interaction