ତୁମେ ତ ଆସିବ ନିଶ୍ଚୟ ଆସିବ
ମୁକ୍ତାର ଓଢଣୀ ଟାଣି,
ଥିରି ଥିରି ପାଦେ ଗିରିବନ ପଦେ
ଶିଶିର ସ୍ନାତା ଧରଣୀ l
ଆମ୍ରବନ ମାଳେ କୁମ୍ଭାଟୁଆ ତୋଳେ ମଧୁମହ୍ଲାର ରାଗିଣୀ,
ପୁଷମାସ ଶୀତ କରେ ନାହିଁ ଭୀତ
ଶୁଭୁଛି ବାଣ ରୋଷଣୀ l
ସ୍ୱାଗତ କରୁଛୁ ହେ ନୂଆ ବରଷ
ଗୋ ଅଵଗୁଣ୍ଠନବତୀ,
ଦୀପଜାଳି ଆମେ ସଜାଇ ଦେଇଚୁ
ଆଜି ଏହି ଅମା ରାତି l
ଅର୍ଘ୍ୟଥାଳି ଧରି ପାଛୋଟି ନେବାକୁ
ସଜାଇଛୁ ଜନପଥ,
ସୁଖ ଓ ସମୃଦ୍ଧି ଭରି ଦେବ ତୁମେ
ଦେଖାଇ ଦେବ ସୁପଥ l
ଆଶା ଓ ଭରସା ବିଶ୍ୱାସର ମନ୍ତ୍ରେ
ଅଭିମନ୍ତ୍ରିତ କରାଇ,
ହୁସିର ଜୁଆର ଭରି ଦିଅ ପ୍ରାଣେ
ସ୍ୱାଗତ ସଂଗୀତ ଗାଇ l
ସୀମାହୀନ ଆଶା ଅସୁମାରୀ ସ୍ବପ୍ନ
ସାକାର ହେଉ ଆମର,
ତୁମରି ଆଶିଷେ ଦୂର ହୋଇ ଯାଉ
କୋରନାର ଅତ୍ୟାଚାର l
ନୂତନ ସୂରୁଜ ଆଗମନେ ଦୂର
ହୋଇଯାଉ ଦୁଃଖ ରାଶି,
ଶୁଭ ଶଙ୍ଖ ଫୁଙ୍କି ସ୍ୱାଗତ କରୁଛୁ
ଦୁଇ ହଜାର ବାଇଶି l
ପ୍ରିୟମ୍ବଦା ରାଉତ, କୁଡୁମୁଲୁଗୁମ୍ମା, ମାଲକାନଗିରି l
Readers Interaction