ସୁଧୀର କାହିଁକି ଆଜିକାଲି ସଦା
କାହାକୁ ଯମା ମାନୁନି
ପାଟିରେ ତାହାର ଲଗାମ ନ ଦେଇ
ଅପକଥା ଭାଷେ ଧ୍ବନୀ।୧
ବଡ଼ ସାନ ବୋଲି ଭାବୁନି କାହାକୁ
ଆସୁନି ମଧୁର କଥା
ପାଗଳ ପରାଏ ଫିଙ୍ଗେ ଅପଭାଷା
କରୁଛି ହୃଦୟ ବ୍ଯଥା।୨
ବାପା ମାଆଠାରୁ ସାହି ପଡି଼ଶା ବି
ଖପା ହୋଇ ସାରିଲେଣି
କିନ୍ତୁ ନ କହିକି ସଭିଙ୍କ ମନରେ
ପଡି଼ଛି ସଦା ଭାଳେଣି।୩
ଗାଆଁଟିର ଲୋକେ ଫୁସୁରୁ ଫାସର
ତୁଣ୍ଡ ବାଇଦଟା ପରି
ଖେଳି ତ ଗଲାଣି ତରଙ୍ଗ ପରିକା
ସାତ ସୁମୁଦ୍ର ସେପାରି।୪
ଅଜା ଶୁଣିଦେଲେ ଦିନେ ଗାଁ ଲୋକଠୁ
ଘରକୁ ଫେରି ଆସିକି
ବୁଝାଇ କହିଲେ ବଗିଚାରେ ବୁଲି
ଦେଖୁନୁ ଆଜି ବେଶିକି।୫
ଏ ଆମ୍ବ ଗଛଟି କେମିତି ଫଳିଛି
ସୁନ୍ଦର ଦିଶୁନି ତୋତେ
ନାତି ଟୋକା କହେ ଏ ଫଳନ୍ତି ଗଛ
ଝୁଲୁଛି କାହିଁକି ହାତେ?୬
ଆଦରେ ବସାଇ ବୁଝାଇ କହିଲେ
ନମ୍ରତା ଗୁଣ ଫୁଟିଛି
ଭଲ ହୃଦ ବୋଲି ସଭିଙ୍କୁ ଦେବାକୁ
ତଳକୁ ଝୁଲି ପଡି଼ଛି।୭
ସ୍ବଭାବ ତାହାର ସୁଉଚ୍ଚ ସୁନ୍ଦର
ତାର ପରି ଯିଏ ହେବ
ସାରା ସଂସାରରେ ଆଦର ଲଭିବ
କୋଟି ପୂଣ୍ଯ ବି ପାଇବ।୮
ସୁଧୀର ହେଜିଲା ନିଜର ସ୍ବଭାବ
ବଦଳେଇ ଦେବ ଏବେ
ଫଳନ୍ତି ଏ ଗଛ ସଦୃଶ ହେବାକୁ
ଶପଥ କରିଲା ଭବେ।୯
ଲୁହ ଦୁଇଟୋପା କୁଣ୍ଢାଉ କୁଣ୍ଢାଉ
ଆଖିରୁ ପଡି଼ଲା ଝରି
ଆଶୀର୍ବାଦ ଦେଇ ଅଜା କହିଗଲେ
ହେବୁରେ ଫଳନ୍ତି ପରି।୧୦
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
Readers Interaction