ଆଜିବି ତୁ ମୋର
ଗୋଧୂଳି ପ୍ରଲେପ
ଦିନାଙ୍କର ଶେଷ ସ୍ପର୍ଶ ।
ସଜଳ ସ୍ମୃତିରେ
ଦୀପାଳୀର ସଂଜ୍ଞା
ଲେଉଟାଣି ଶେଷ ବର୍ଷ ।।
ତୁ ମୋର ସେହି
ଅନ୍ତାକ୍ଷରୀ ପାଦ
ପ୍ରଦୋଷର ଅଭିବ୍ୟକ୍ତି ।
ପ୍ରକୃତି ମାୟାରେ
ଆଲକ୍ତ ଦିଗନ୍ତ
ନବାକ୍ଷରୀ ଅନୁଭୂତି ।।
ପ୍ରତିଟି ପୃଷ୍ଠାରେ
ତଲ୍ଲିନ ସ୍ବାକ୍ଷର
ଆଳତିର ସମର୍ପଣ ।
ଶବ୍ଦ ଆଲେଖ୍ୟର
ଅନ୍ତସ୍ବର କେବେ
ହୃଦୟର ଅଭିମାନ ।।
ସେହି ସମୟର
ଜଟିଳ ଜ୍ୟାମିତି
ଜୀବନର ଉପପାଦ୍ୟ ।
ଲୁହ ଲହୁ ମିଶା
ପ୍ରାପ୍ତ ପରିଧି ରେ
ଭାଗ ବିୟୋଗର ଭୋଗ୍ୟ ।।
ଅଜଣା ଆତଙ୍କ
ଲକ୍ଷ୍ମଣ ରେଖାରେ
ମହାମାରୀ ଅଭିଧାନ ।
ସତର୍କ ସଚେତ
ଆୟତନେ ଯୋଡ଼ା
ଭାଙ୍ଗିଯାଇଥିବା ମନ ।।
ମାନିନୀ ସନ୍ଧ୍ୟା ର
ଅଲିଅଳ ଉକ୍ତି
ସାଇତା ଜୀବନ ଗୀତା ।
ଆଜିବି ତୋ ସାଥେ
କଳ୍ପନା କଲମେ
ଅତୁଟ ଅତିଥି ବାର୍ତ୍ତା ।।
ଶେଷ ସ୍ପର୍ଶ ମୋର
ଦିନ ମାସ ବର୍ଷ
ଅନ୍ତିମ ଆଳାପ ସାଥେ ।
ଜାଣେନାହିଁ ମୁଁ ଯେ
ଭବିତବ୍ୟେ କେବେ
ଭେଟିବି କି କେଉଁ ପଥେ ।।
ସସ୍ମିତା ପଣ୍ଡା
କଟିକଟା,କଟକ
Readers Interaction