ନୂଆ ନୂଆ ସବୁ
ସଂସାରେ ଆସୁଛି
ପୁରୁଣା ସତ୍ତା ହଜୁଛି,
ଦେଖିବାକୁ ପରା
ସପନ ହେଉଛି
କିଛି ସ୍ମୃତିରେ ରହିଛି।
ଯନ୍ତ୍ର ପେଷଣା ଟି
ଘର କରଣା ଯେ
ସଭିଙ୍କ ଘରେ ରହିଛି,
ଶିଳ ଟିଏ କିମ୍ବା
ଘୋରଣା ଗୋଟିଏ
ଦେଖିବାକୁ ନ ମିଳୁଛି।
ଶୀତଳ ପେଢ଼ି ଯେ
ସଭିଙ୍କର ଘରେ
ଦେଖିବାକୁ ସିନା ମିଳେ,
ଦଉଡି ତିଆରି
ସିକା ଖଣ୍ଡିକ ଯେ
ଦେଖିବା କାହିଁ ନ ମିଳେ।
ଆମ ପିଲା ଛୁଆ
ଦେଖି ନାହାନ୍ତି ଯେ
ହେମ ଦସ୍ତା ଗୋଟି କିସ,
ଟ୍ରାକ୍ଟର ରେ ସବୁ
ହୁଏ ଚାଷ କାମ
ପିଲାଙ୍କୁ ଅଜଣା ଇଶ।
ଗୁଡୁ ଶଗଡ଼ରେ
ବସି ଆସିଥିଲେ
ଘରକୁ ଯେ ନୂଆ ବୋହୂ,
ଆମ ପିଲା ଆଜି
ବୁଝି ପାରନ୍ତିନି
ଗୁଡୁ ଶଗଡ଼ ଯେ କହୁ।
ଚାଞ୍ଚ ରେ ତିଆରି
କାନ୍ଥ ଥିଲା ଘରେ
ଚାଞ୍ଚେ ବୁହା ବାଡ଼ି ଖତ,
ଚାଞ୍ଚ କଥା ଆଜି
କହିଲେ ପିଲାଏ
କହନ୍ତି ମିଛ କି ସତ।
ଦେଖି ଅଛି କିଏ
ସବାରି ଭିତରେ
ଆସୁଥିଲେ ନୂଆ ବୋହୂ,
ଠୋ ଠୋ ହୋଇ ପରା
ହସନ୍ତି ପିଲାଏ
ସବାରି ଯେବେ ହେ କହୁ।
ଧନ ଅମଳ ଯେ
ହେଉଅଛି ଆଜି
ଟ୍ରାକ୍ଟର ର ସାହାଯ୍ୟରେ,
ବେଙ୍ଗଳା ପଡୁନି
ଖଳାରେ ଯେ ଆଉ
ଆଡିଆ ବାଡା ଖଳାରେ।
ଆସି ଯାଉଅଛି
ସବୁ ନୂଆ ନୂଆ
ହଜିଲାଣି ଯେ ପୁରୁଣା,
ଦାଣ୍ଡରୁ ବାରି ଯେ
ଗୋଟିଏ ହିଁ ଛାତ
ନାହିଁ ଯେ ତହିଁ ଅଗଣା।
ପ୍ରସନ୍ନ କୁମାର ସାହୁ
ବ୍ରହ୍ମପୁର,ଗଞ୍ଜାମ
Readers Interaction