ଯେଉଁଦିନ ମୋର ରୋଗ ଭଲ ବୋଲି
କହିଲେ ଡାକ୍ତର ସତ
କଟକର ବଡ଼ ଡାକ୍ତରଖାନାରେ
ମୋ ପତ୍ନୀ ଧରିଲେ ହାତ।୧
କହିଲେ ଶୁଣୁଛ ମୋର ଏ ସିନ୍ଦୂର
ତୁମକୁ ଟାଣି ରଖିଲା
ଦ୍ବିତୀୟ ଜୀବନ ପାଇଲ ଏଥର
ଆଜି ମୋ ହୃଦୟ ଖୋଲା।୨
ଏହିଠାରୁ ଚାଲ ପୁରୀ ବୁଲିଯାଇ
ବଡ଼ ଦାଣ୍ଡରେ ବୁଲିବା
ତାର ବାଲିଧୂଳି ମୁଣ୍ଡରେ ବୋଳିକି
କୃତାର୍ଥ ଆଜି ହୋଇବା।୩
ପତ୍ନୀର କଥାକୁ ସମ୍ମାନ ଦେଲି ମୁଁ
ଚାଲିଲୁ ଆନନ୍ଦ ହୋଇ
ବସ୍ ଯାତ୍ରା ଯୋଗେ ପହଞ୍ଚି ଓହ୍ଲାଇ
ଯୋଡି଼ ନିଜ ହାତ ଦୁଇ।୪
ବଡ଼ଦାଣ୍ଡେ ଦୁହେଁ ଆନନ୍ଦେ ଗଡି଼ଲୁ
ମନକୁ ସମର୍ପି ଦେଇ
ଦେହ ଆଉ ମନ ପବିତ୍ର କରିଲୁ
ବଡ଼ଦାଣ୍ଡୁ ଧୂଳି ନେଇ।୫
ପାଖେ ଠିଆ ହୋଇ ଦେଖୁଥିଲେ ଲୋକେ
ଆମର କର୍ମକୁ କେତେ
ଭଲ ଆଉ ଭେଲ କଥାକୁ ଫିଙ୍ଗିକି
କହିଗଲେ ଯିଏ ଯେତେ।୬
ଆମେ ଶୁଣୁଥିଲୁ ଲୋକଙ୍କ ଟିପ୍ପଣୀ
କିନ୍ତୁ ନୀରବରେ ଥାଇ
ଜଗନ୍ନାଙ୍କର ଅପାର କରୁଣା
ବଡ଼ଦାଣ୍ଡେ ଗଲୁ ପାଇ।୭
ଆଖିରୁ ଗଡି଼ଲା ଆନନ୍ଦର ଲୁହ
ଜଗନ୍ନାଥ ଏ କରୁଣା
ନ ହେଲେ ଯିବା କି ହୋଇ ପାରିଥାନ୍ତା
ଭ୍ରମିଥାନ୍ତୁ ହୋଇ ବଣା?୮
ବଡ଼ଦାଣ୍ଡ ଧୂଳି ଚନ୍ଦନଠୁ ବଳି
ନିଜ ମୁଣ୍ଡେ ଲେପି ଦେଲୁ
ସକଳ ସନ୍ତୋଷ ମନ ମନ୍ଦିରରେ
ଥୋଇ କି କୃତାର୍ଥ ହେଲୁ।୯
ବଡ଼ଦାଣ୍ଡ ଆଉ କଳା ଠାକୁରଙ୍କୁ
ଯଦି ବି ନ ଜାଣୁ ଆମେ
ଆମ ଇଛା ଆଶା ପୂର୍ଣ୍ଣକଲା ପରି
ସଭିଙ୍କୁ ଦେଖିବ ଧାମେ।୧୦
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
Readers Interaction