ସବୁବେଳେ ମନେପଡେ ପିଲାଦିନ
ଲୁଚକାଳି,ବୋହୁଚୋରି
ଛୋଟ ପିଲାଙ୍କର ଖେଳକୁ ଦେଖିଲେ
ମନ ହୁଏ ମୋର ଝୁରି ।1।
ଛନ୍ଦ କି କପଟ ନଥିଲା କାମନେ
ମିଳି ମିଶି ଖେଳୁଥିଲୁ
ଝାଟି ଜଙ୍ଗଲରୁ କଣ୍ଟେଇ କୋଳିକୁ
ମିଶି ପୁଣି ତୋଳୁ ଥିଲୁ ।2।
ସବୁବେଳେ ମନେପଡେ ପିଲାଦିନ
ଚାଟଶାଳୀ ପଢ଼ା ପାଠ
ମଧୁ ବର୍ଣ୍ଣବୋଧ ପଢୁଥିଲୁ ମିଶି
ବୋଲାଇଲୁ ଭଲ ଚାଟ ।3।
ଅକ୍ଷର ଶିକ୍ଷାକୁ ପଣକିଆ ଘୋଷା
ଦାମ ଗୁରୁଜୀଙ୍କ ବେତ
ମାଡ଼ଡ଼ରେ ମିଛ ପଦେ ବାହାରେନି
ସବୁବେଳେ କହୁ ସତ ।4।
ସବୁବେଳେ ମନେପଡେ ପିଲାଦିନ
ନଈରେ ଗାଧୁଆ କଥା
ପହଁରା ଶିଖିଛୁ ଅଳପ ପାଣିରେ
ନଥିଲା ବୁଡିବା ଚିନ୍ତା ।5।
ଗାଆଁ ସଡ଼କରେ ସକାଳ ଦଉଡା
ଖରା ଶୀତକୁ ନମାନି
ଖରାବେଳେ ଆମ୍ବ ତୋଟାରେ ପଢିବା
ସାଙ୍ଗ ସାଥୀ ବସି ତୁନି ।6।
ସବୁବେଳେ ମନେପଡେ ପିଲାଦିନ
ରଜରେ ବାଗୁଡି ଖେଳ
ଗାଆଁ ସାରା ଲୋକ ଏକାଠି ହୁଅନ୍ତି
ମମତାର ହୁଏ ମେଳ ।7।
ସବୁବେଳେ ମନେପଡେ ପିଲାଦିନ
ଗାଆଁର ପୂଜା ପରବ
ସମ୍ପର୍କର ମାନେ ବୁଝନ୍ତି ସମସ୍ତେ
ମନରେ ଆସେ ଗରବ ।8।
ସୁରେନ୍ଦ୍ର କୁମାର ବେହେରା ।
ଜିତିପୁର,ହରିପୁର ହାଟ, ଯାଜପୁର
Readers Interaction