ଗ୍ରାମପଥ- ବେଣୁଧର ସୂତାର

Views: 19
0 0
Read Time:3 Minute, 33 Second

ତାଳ ନାରିକେଳ ବଉଳ ତମାଳ
ସହକାର କୁଞ୍ଜ କି ମନଲୋଭା
ମଞ୍ଜୁଳ ସକାଳ ଚାରୁ ସାଂୟକାଳ
ତାଉଷା ଗୋଧୂଳି ଅପୂର୍ବ ଶୋଭା ।

ମୋଗାଆଁର ଏଇ ସଂକୀର୍ଣ୍ଣପଥଟି
ଦୂର ଦିଗନ୍ତ କୁ ଯାଉଛି ଚୁମି
ଜନ୍ମରୁ ମରଣ ମଧୁ ଆକର୍ଷଣ
ଚିର ଅପାଶୋରା ମୋ ପଲ୍ଲୀଭୂମି ।

ଏଇପଥ ଜୀବ ଜୀବିକାର ରାହା
ଜନ ଜୀବନର ସୁଖ ସରଣୀ
ଭରା ଅନୁରାଗେ ମମତା ପରାଗେ
ଯୋଗେଶ୍ବରୀ ସେତ ଜନକଲ୍ୟାଣୀ

ଏଇପଥେ ଧୀରେ ଗ୍ରାମ ସୀମନ୍ତିନୀ
ପ୍ରାତସ୍ନାନେ ନଦୀ ତୁଠେ ଗମଇ
ଗ୍ରାମର ତରୁଣ ଏହିପଥେ ଯାଏ
ବିଦେଶେ ଜୀବିକା ଅର୍ଜନ ପାଇଁ ।

ଏହି ପଥେ ଯାଏ ଗ୍ରାମ ଶ୍ରମଜିବୀ
ଜୀବନ କର୍ତ୍ତବ୍ୟ ଗୀତିକା ଗାଇ
ଗୋଧୂଳିସଞ୍ଜରେଏଇପଥେଫେରେ
କ୍ଷେତକାମ ସାରି କୃଷକ ଭାଇ ।

ଧୂଳିଘର କରି ସୁଖେଖେଳେ ଶିଶୁ
ଏଇଗ୍ରାମପଥ ଧୂସର ଦେହେ
ପିଲା ଖେଳର ସେ ଅସରାକାହାଣୀ
ଆଗାମୀ ଜୀବନ କର୍ତ୍ତବ୍ୟ ମୋହେ ।

ଏଇ ପଥେ ଆସେ ନବବଧୂ ପିନ୍ଧି
ବାହାମୁକୁଟ କୁ ବଉଳ ପାଟ
ଏଇ ଗାଆଁ ବର ବାହାହୋଇ ଯାଏ
ଏପଥେ ସଜାଇ ରୋଷଣି ଥାଟ ।

ଏଇପଥ ସିନା ନବ ଜାତକର ଆଗାମୀ ଦିନର ସପନ ସାଥି
ଏଇପଥ ପୁଣି ବିଦାୟୀ ଜନର
କେତେ ଅପାଶୋରା ଲୁହର ସ୍ମୃତି।

ଏଇପଥ ଅଟେ ମମତାର ପଥ
ଫେରିବା ଜନର ପରମ ବନ୍ଧୁ
ଆସିବାଜନର ପ୍ରାଣେଭରେ ସତେ
ମୁଗ୍ଧ ଆବେଗ ଅମୃତ ବିନ୍ଦୁ ।

ତା ଆଶିଷ ଝରା ମମତା ପସରା
ଜୀବନକୁ କରେ ମଧୁରମୟ
ଜୀବନ ନାଟକ ଅନ୍ତିମ ପର୍ଯ୍ୟାୟେ
ଏଇ ପଥ ହୁଏ ଶେଷ ପାଥେୟ ।

ବେଣୁଧର ସୂତାର
କେଶଦୁରାପାଳ
କେନ୍ଦୁଝର

Share this :
Next Post

କାହାକୁ ଯାଉଛ ଖୋଜି - ପ୍ରଶାନ୍ତ କୁମାର ସେଠୀ

ତୁ କାହିଁ ବ୍ୟଥିତ ବ୍ୟସ୍ତ ବିବ୍ରତ ଭଗ୍ନ କୋଣାର୍କ ଦେଖି ତୋ ଆଗରୁ କେତେ ଗଲେଣି ବାହୁଡ଼ି ବଦଳିନୀ ଜମା କିଛି ।। କାନ୍ଦୁଛି ଗରିବ ଜଳୁଛି ତାପେଟ ଦୁଃଖ ତାର ବାରମାସୀ ନେତା ଏ ବର୍ଷନ୍ତି ଭାଷଣ ବାଜିରେ ଏସି ଅଫିସିରେ ବସି ।। ଭଗବାନ ଜମା ଦିଅନ୍ତିନି ଧରା ମନ୍ଦିରେ ଝୁଲୁଛି ତାଲା ଅବଳା ଦୁର୍ବଳା ଖଟିଖିଆ ଵାଲା ସହନ୍ତି କରୋନା ଢେଲା ।। ଜୀବନ ଯାଉଛି […]

Subscribe US Now