କେତେ ଜନମର ପାପ ଫଳେ
ନାରୀ ଜନମ ହୋଇଲା |
ସେଇ କଥା ଆଜି ଭାବି ଭାବି କରି
ଦୁଃଖରେ ଦିନ ସରିଲା ||
ଗର୍ଭ ଧାରିଣୀ ସେ ମାଆର ଦୁଃଖକୁ
ଶେଷ କରି ନପାରିଲ| |
ଜନମ ଦିନଠୁଁ ଶାଶୁ ଘର ଯାଏଁ
ବୋଝ ରୁପେ ଲଦା ହେଲା ||
ଶାଶୁ ଘରକୁ ବି ଆସି ସାରିଥିଲେ
ପରବ ପର୍ବାଣୀ ଭାର |
ଗରିବ ବାପକୁ କେତେ କଷ୍ଟ ହୁଏ
ଝିଅ ତା ର ପୁଣି ଛଅ ||
ଶାଶୁଙ୍କ ଗଞ୍ଜଣା ଏଡ଼େ ସୁଆଦିଏ
ଓଠ ପିଏ ଆଖିଲୁହ |
ଆଖିର ଲୁହ କୁ ଆଖିରେ ରଖିକି
ଦେଖାଇବ ହସ ମୁହଁ ||
ହାତେ ମାପି ଯଦି ଚାଖଣ୍ଡେ ଚାଲିବ
ତଥାପି ନାହିଁ ତା ନାଁ |
ପଦିଏ ପାଟିରୁ ଖସିଗଲେ କିସ
ଲୋଡ଼ା ବାପଘର ଗାଁ ||
ସ୍ୱାଧୀନ କ’ଣ ନଜାଣଇ ନାରୀ
ସତରେ କେଡ଼େ ଅଭାଗା |
ସ୍ୱାଧୀନକୁ ଯଦି ଖୋଜଇ ସେ କେବେ
ହୁଏ ବଡ଼ ହତଭାଗା ||
ପାଏନା ସ୍ୱାଧୀନ ହୁଏ ହତଶୂନ୍ୟ
ଅଭିସପ୍ତା ଅଟେ ନାରୀ |
ନାରୀ ର ବଇରି ନାରୀ ପାଲଟଇ
ଆନ ଥିଲେ ଥା’ନ୍ତୁ ଅରି ||
ଘରୁ କେବେ ଗୋଡ଼ ବାହାରକୁ ଗଲେ
ଲୋଡ଼ା କେତେ ଅନୁମତି |
ଆତ୍ମ ବିକଳରେ ଛାଡ଼ ବୋଲି ମୋତେ
କରୁଥାଏ କେତେ ସ୍ତୁତି ||
ଶତ ଧିକ୍କାର କରୁଅଛି ମୁହିଁ
ଏହି ନାରୀ ଜୀବନକୁ |
କାହା ମନେ କଷ୍ଟ ଲାଗିଥିବ ଯଦି
କ୍ଷମା ଦେବ ଅଧମକୁ |||
ଅନୀତା ବେହେରା
ବଡ଼ମ୍ବା,କଟକ
ଆଜିର ଯୁଗରେ ନାରୀ ଅଭିଶପ୍ତା ନ୍ୁହେଁ,ଏବେ ନାରୀ ଯାହା ଚାହୁଁଚି କରି ପାରୁଚି| ତଥାପି ଗାଁ ଗହଳରେ ଶାଶୁ ମାନଙ୍କର ବ୍ୟଭିଚାର ଏବେ ବି ନବ ଜୀବନରେ ବେଶ୍ ଦ୍ଋଶ୍ୟମାନ| ସେଥିପାଇଁ ମୋର ଏ କବିତା ,ଆଶାକରେ ଆପଣ ମାନେ ବୁଝିପାରିବେ ଜଣେ କୋହଭରା ନାରୀ ର ଆତ୍ମ ଚିତ୍କାରକୁ|ରହଲି ,ନମସ୍କାର!