ଜନମ ଦେଇଛ ଜୀବନ ଦେଇଛ
ନିଃଶ୍ୱାସ ଦେଇଛ ତୁମେ,
ହୃଦୟରେ ମୋର ସ୍ପନ୍ଦନ ଭରିଛ
ବିଶ୍ୱାସ ଦେଇଛ ତୁମେ ।
ମାଗିବା ଆଗରୁ ସବୁକିଛି ଢ଼ାଳି
ଭରିଛ ମୋର ଆଞ୍ଜୁଳି,
ସବୁ ଦୋଷ ମୋର କ୍ଷମା କରିଅଛ
ଦେଇ ନାହଁ କେବେ ଗାଳି ।
ସୁଖ ତ ମୋହର ସମସ୍ତେ ଶୁଣନ୍ତି
ଦୁଃଖ ବେଳେ ତୁମେ ଥାଅ,
ମୋ ମନ ଯନ୍ତ୍ରଣା ବୁଝିବା ପାଇଁକି
କା ପାଖେ ନାହିଁ ସମୟ ।
ନିଜ ମନକଥା ତୁମକୁ ହିଁ କୁହେ
କାହାକୁ ପାରେନା କହି,
ଯାହାକୁ କୁହେ ସେ ହେୟଜ୍ଞାନ କରେ
ଥଟ୍ଟା କରେ ହସିଦେଇ ।
ଯାହାକୁ ମୁଁ ନେଇ ଶୀର୍ଷରେ ବସାଏ
ବୁଝେନା ସେ ମୋ ସେନେହ,
ତୁମେ ମୋ ଉପରେ ପ୍ରେମ ବର୍ଷା କର
କରେ ମୁଁ ତୁମକୁ ହେୟ ।
ମୋ ପରି ଅଜ୍ଞାନ ସଂସାରରେ କେହି
ହୋଇନଥିବେ ଜନମ,
ସବୁ ସମୟରେ ସାହା ମୋର ଯିଏ
ବୁଝିଲିନି ତାଙ୍କ ପ୍ରେମ ।
ସମସ୍ତେ ତ ଦିନେ ଛାଡ଼ି ଚାଲିଯିବେ
ତୁମେ ହିଁ ରହିବ ସାଥେ,
ମୁହିଁ ମୂଢ ପ୍ରାଣୀ ଭାବୁଛି ସଭିଙ୍କୁ
ସାଥେ ନେବି ଯମାଲୋକେ ।
ଜନ୍ମ ଠାରୁ ମୃତ୍ୟୁ ତୁମେ ହିଁ ତ ସାଥୀ
ରହିଥାଅ ପାଖେ ପାଖେ,
ଆକାଶଟେ ସାଜି ମୋ ସାଥେ ଚାଲୁଛ
ଯେଉଁଠି ମୁଁ ପାଦ ରଖେ ।
ସମୀରଣ ସାଜି କୋଳ କରିନେଇ
ଆଉଁଶି ଦେଉଛ ମୋତେ,
କଳକଣ୍ଠ ସାଜି ମଧୁର ରାଗରେ
ଗୀତ ଗାଉଛ ମୋ ସାଥେ ।
ସାରା ସଂସାର ସମାହିତ ହୋଇଛି
ତୁମ ବିଶାଳ ହୃଦୟେ,
ମୋହ ପରି ତୁଚ୍ଛ ପ୍ରାଣୀକୁ ବି ତୁମେ
ପ୍ଲାବିତ କରିଛ ସ୍ନେହେ ।
ଶରୀରରେ ମୋର ଲହୁ ହୋଇ ବହୁ
ତୁମରି ଅମୃତ ନାମ,
ତୁମ ରୂପ ସାଜୁ ମୋ ଆଖିର ଜ୍ୟୋତି
ସ୍ପନ୍ଦନ ସାଜୁ ତୋ ପ୍ରେମ ।
ନିଃଶ୍ୱାସରେ ମୋର ଅହରହ ତୁମ
ଭକ୍ତି ହେଉ ପ୍ରବାହିତ,
ତୁମରି ପ୍ରେମର ପୀୟୂଷ ଆସ୍ୱାଦେ
ଆତ୍ମା ହେଉ ପୁଲକିତ ।
ତୁମରି ଆଦର୍ଶ ଭରିଯାଉ ମୋର
ପ୍ରତିଟି ଲୋମକୂପରେ,
ଯାହା ସବୁ ଭଲ ଲାଗେନା ତୁମକୁ
ତାହା ଯାଉ ମୋ ଠୁ ଦୂରେ ।
ତାହା ହିଁ ଦେଖିବି ମୋ ଦୁଇ ଆଖିରେ
ଯାହା ଭଲ ଲାଗେ ତୋତେ,
ଭଲକାମ ସଦା କରୁଥିବି ମୁହିଁ
ଭଲ ପାଉଥିବୁ ମୋତେ ।
ତୁମେ ମୋର ମାତା, ପିତା ତୁମେ ଗୁରୁ
ତୁମେ ମୋର ଶ୍ରେଷ୍ଠ ବନ୍ଧୁ,
ଦିଅ ହେ ଆଶିଷ ହୃଦୟ ମୋ ସାଜୁ
ତୁମ ଭକତିର ସିନ୍ଧୁ ।
ପ୍ରିୟଦର୍ଶିନୀ ମହାପାତ୍ର
ଭଞ୍ଜନଗର, ଗଞ୍ଜାମ
Readers Interaction