ସଂସ୍କୃତି ସମ୍ପନ୍ନ ପରଂପରା ମହାନ
ଆମ ଉତ୍କଳ ପ୍ରଦେଶ
ବାରମାସେ ତେର ପର୍ବ ପାଳିଣ
ଦିବ୍ଯ କରେ ପରିବେଶ।
ସର୍ବ ଭାରତୀୟ ପରବ ଅଟଇ
ମକର ସଂକ୍ରାନ୍ତି ପୁଣ
ଧନୁ ରାଶିଠାରୁ ମକର ରାଶିରେ
ସୂର୍ଯ୍ୟଙ୍କ ପ୍ରବେଶ ଜାଣ।
ଦକ୍ଷିଣରୁ ଉତ୍ତରାୟଣକୁ ଗତି
ମକରେ ଦିନ ବକର
ଶୁଭଙ୍କର କାର୍ଯ୍ୟର ହୁଏ ଆରମ୍ଭ
ଘର ପ୍ରତିଷ୍ଠା ବ୍ରତର।
ପରଲୋକ ପ୍ରାପ୍ତେ ଏହି ସମୟରେ
ଯାଆନ୍ତି ବିଷ୍ଣୁ ପୁର
ପିତାମହ ଭୀଷ୍ମ ଶରଶଯ୍ଯେ ରହି
ଇଛେ ଛାଡିଲେ ଶରୀର।
ଏ ପବିତ୍ର ଲଗ୍ନେ ଭାଗିରଥି ସାଥେ
ଗଙ୍ଗାମାତା ଆଗମନ
କପିଳମୁନିଙ୍କ ଆଶ୍ରମ ଦେଇ
ସାଗରେ ମିଶିଲେ ପୁଣ।
ଆଜିର ଦିନରେ ଗଙ୍ଗା ସ୍ନାନ କଲେ
ମିଳିଥାଏ କୋଟି ପୂଣ୍ୟ
ଚତୁବର୍ଗ ଫଳ ପ୍ରାପ୍ତ ହୋଇଣ
ସର୍ବ ପାପରୁ ମୋଚନ।
ଦକ୍ଷିଣ ଭାରତେ ପୋଙ୍ଗଲ ପାଳନ୍ତି
ଆଜିର ପବିତ୍ର ଦିନେ
ଉତ୍କଳେ ମକର ଚାଉଳ ଖାଇଣ
ମକର ବସନ୍ତି ଜନେ।
ନୂଆ ଚାଉଳ ଚୁଡା ଗୁଡ ଛେନା ଓ
ନଡିଆ କଦଳୀ କ୍ଷୀର
ପୂଜା ହୋଇଥାଏ ଠାକୁରଙ୍କ ପାଶେ
ନୈବେଦ୍ଯ ରାଶିଲଡୁର।
ଟୁସୁ ପର୍ବ ପାଳନ୍ତି ମହନ୍ତ ମାନେ
ଟୁସୁ ନାମ୍ନୀ କନ୍ଯା ପାଇଁ
ଗୁଡି ଉଡା ପର୍ବ ଚାଲଇ ହର୍ଷରେ
ମକର ଚାଉଳ ଖାଇ।
ଓଡିଆ ଭାଷା ସାହିତ୍ୟ ସେନାପତି
ଫକୀର ମୋହନ ଜନ୍ମ
ଓଡିଆ ଭାଷାର ସୁରକ୍ଷା ପ୍ରତିଷ୍ଠା
ତାଙ୍କର ଥିଲା ଲଗନ।
ଆଜିର ପବିତ୍ର ଦିନକୁ ପାଳିବା
ପବିତ୍ରତା ମନେ ନେଇ
ଆମ ସଂସ୍କୃତି ପରଂପରା ମହାନ
ପାଳିବା ହର୍ଷିତ ହୋଇ।
ଡ. ପ୍ରିୟମ୍ବଦା ସାମଲ
ପଟିଆ, ଭୁବନେଶ୍ୱର।
Readers Interaction