ଏମିତି ଭାବ – ସହଦେବ ବେହେରା

Views: 21
0 0
Read Time:2 Minute, 19 Second

ଭାବି ମୁଁ ନଥିଲି ସତରେ କାଳିଆ
ପାଇବି ତୋ ଦରଶନ
ଲଗାଇ ତୋ ଡୋରି ନେଇଗଲୁ ପୁରୀ
ବୁଝିଲୁ ଯେବେ ମୋ ମନ ।।

ବଡଦାଣ୍ଡେ ଭିଡ ଭକତଙ୍କ ମେଳେ
ଠିଆ କରିଦେଲୁ ମୋତେ
ପତିତପାବନ ଦେଖିଦେଲା ପରେ
ନେତ୍ର ଖୋଜୁଥିଲା ତୋତେ ।।

ଅରୁଣ ଖମ୍ବକୁ ଛୁଇଁ ଦେଲି ଯେବେ
ମନେ ଲାଗିଲା ତୋ ଭାବ
ବାଇଶି ପାହାଚେ ଗଡିଗଲି ଥରେ
ଲାଗିଲା ତୋ ଅନୁଭବ ।।

ସତରେ କାଳିଆ ମୋ ହାତକୁ ଧରି
ନେଲୁ ସିଂହାସନ ପାଶ
ଚକା ଚକା ଆଖି ଦେଖିଦେଲି ଯେବେ
ଦୁଃଖ ମୋ ହୋଇଲା ନାଶ ।।

ମନ୍ଦିର ବେଢାରେ ପରିକ୍ରମା ସାରି
ଆନ୍ଦନ ବଜାର ଗଲି
ତୋ ମହାପ୍ରସାଦ ତୁଣ୍ଡେ ପାଇସାରି
ମୁଣ୍ଡରେ ମୁଁ ବୋଳି ଦେଲି ।।

ଭକତ ବତ୍ସଳ ଆହେ ଭାବଗ୍ରାହୀ
ଭକ୍ତବନ୍ଧୁ ଜଗନ୍ନାଥ
ଧନ୍ୟ ତୋ ମହିମା କି ବର୍ଣ୍ଣିବି ପ୍ରଭୁ
ମୁଁ ଅଟେ ଛାର ଅନାଥ ।।

ଏମିତି ଭାବ ମୋ ତୋ ସାଥିରେ ଥାଉ
ଲୋଡା ନାହିଁ ଧନ ଜନ
ଜୀବ ଯିବା ବେଳେ ଆଖି ଦୁଇଟା ମୋ
ଦେଖୁ ତୋ ଚକାନୟନ ।।

ସହଦେବ ବେହେରା
କେନ୍ଦୁଝର

Share this :
Next Post

ଶୁଭ ସକାଳ - ରଞ୍ଜନ କୁମାର ପଣ୍ଡା

ଶୁଭ ଶଙ୍ଖ ବାଜିଲାଣି ଶୁଭ ସକାଳେ ଉଠ ଉଠ ବାବୁ ମୋର ଉଠ ସଅଳେ । ଭଗବତ ନାମ ନିଅ ହୃଦ ମନ୍ଦିରେ ପିତୃପୁରୁଷଙ୍କୁ ସ୍ମର ନିଜ ଅନ୍ତରେ। ସୂର୍ଯ୍ୟଙ୍କ ଦର୍ଶନ କର ଭକତି ଭରେ ଜଗତ କଲ୍ୟାଣ ପାଇଁ ଡାକ ସଧିରେ । ପର ପୀଡା ହରଣରେ ସହାୟ ହୁଅ ପର ପାଇଁ ଜୀବନକୁ ବାଜି ଲଗାଅ । ଶୁଭ ସକାଳର ଚିନ୍ତା ଶୁଭ ହୋଇବ ବିଭୁ ପଦେ […]

Subscribe US Now