ଆଜ୍ଞା !
ଆମ ଗାଁ’କୁ ଥରେ ତ ବୁଲି ଆସନ୍ତୁ
ଦେଖି ନିଅନ୍ତୁ ସ୍ବାଧୀନତା ପରବର୍ତ୍ତୀ ମାନଚିତ୍ର
ଯାହା ଭୂଗୋଳ ପୋଥିରେ ନାହିଁ
ନାହିଁ ବି ଆଜିର ଆଧୁନିକ ଯୁଗର
ରେଡି଼ଓ,ଫୋନ ଅବା ଟି.ଭି
ଗୋଟେ ଚିରା ଚରିତ ପ୍ରଥା
ଏବେ ବି ଦୃଶ୍ଯମାନ।
ଆସନ୍ତୁ ନା ଦେଖି ନିଅନ୍ତୁ
ଆମ ଏ ଗା’ ଆଉ ସଂସ୍କୃତିକୁ
ହୁଏତ ବୁଝିଯିବେ ଗୋଟେ ଦାସତ୍ବ ପ୍ରଥାର ହୀନତା
ଗୋଟେ ହୀନ ଚକ୍ରାନ୍ତର ମାଲିକାନା।
ଆଜି ଜଣେ କେହି ବି
ମୁକ୍ତ ନୁହଁନ୍ତି ଏ ଗାଁ’ର ପଧାନଠୁ
ଗୋତି ଖଟୁଛନ୍ତି ନିତିଦିନ
ମୁଠାଏ ଭଲରେ ଖାଇବା ସ୍ବପ୍ନ
ଘର ସଂସାର ଭଲରେ କରିବୁ ତ ପଧାନଙ୍କ ନାଲିଆଖି।
ଆମ ଗାଁ’ ଲୋକେ ନଈ ଚୁଆରୁ ପାଣି ଖାଉଛନ୍ତି
ଇଲେକ୍ଟ୍ରି ଜଳିବା ସାତ ସ୍ବପ୍ନ
ଆଉ ଆଉ ସରକାରଙ୍କ ଯୋଜନା
ନ କହିବା ଭଲ।
ଏ ଗାଁ’ଟି ଝାଟିମାଟି
ଦିନରେ ଖରା ତ ରାତିରେ ତରା
ରାସ୍ତା ତ ଅଙ୍କାବଙ୍କା ପୁଣି ପାଦଚଲା।
ଏଠି ଶିକ୍ଷା ହଜି ଥାଇଛି କାହିଁ କେତେ କାଳୁ
ସ୍ବାସ୍ଥ୍ଯ ସେବା ବିନା
ମୃତ୍ତ୍ଯୁ ପୋକମାଛି ପରି।
ଦିନେ ଧର୍ମ ଚିନ୍ତା କରିବୁ ତ ଦାଣ୍ଡରେ ଆଣ୍ଠେଇବୁ
ପାଞ୍ଚଦିନ ପଧାନଙ୍କ ଘରେ
ଗୋତି ଖଟିବାକୁ ବାଧ୍ଯ।
ନାଚ ଓ ଗୀତ
ହୃଦୟରେ ଆଣିବା ମନା
ସମାଜ କି ଗାଁ’ରେ
ପାଳନ କରିବା ମନ ଉଠିବୁ କାହିଁକି?
ଏଠି ଗୋତି ଖଟିବୁ ତ ପେଟକୁ ଦାନା
ଅଣ୍ଟାରେ ଛିଣ୍ଡାକସ୍ତା।
ଆଜ୍ଞା !
ଅନୁରୋଧ ଥରେ ତ ଆସନ୍ତୁ
ମୋ ଗାଁ,ମୋ ସଂସ୍କୃତିର ଛବି
ଦେଖିବାକୁ ଓ ଜାଣିବାକୁ।
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
Readers Interaction