ପୁ – ତୁମ ଅଭ୍ଯାସରେ ହେଲିଣି ଅଭ୍ଯସ୍ତ
ଫରକ ପଡୁନି କିଛି
ତୁମେ ଫେରିଯାଓ ତୁମରି ବାଟରେ
ଏଠି ମୁଁ ଭଲରେ ଅଛି !!
ଅଳ୍ପ ଦିନ ପାଇଁ ଥିଲା ବୋଧେ ରାସ୍ତା
ତୁମରି ସାଥିରେ ମୋର
ଆପଣାର ବୋଲି ଭାବୁଥିଲି ଯାହା
ତୁମେ କରିଦେଲ ପର !!
ଝି – କରିନି ମୁଁ ପର ତୁମେ ଆପଣାର
ହୃଦୟର ବଗିଚାରେ
ବୁଝିବି ଅବୁଝା ହୁଅ ନାହିଁ ଆଉ
ମନ ମୋ ଅଥୟ କରେ !!
ଆପଣାର ହୋଇ ଆସିଲ ଜୀବନେ
ଆପଣାର ହୋଇ ଅଛ
ବନ୍ଧୁଟିଏ ଭାବି ହୃଦୟେ ରଖିଛି
ଭାବିବନି କେବେ ମିଛ !!
ପୁ – ମିଛ ଆଉ ସତ ମଝିରେ ଜୀବନ
ହେଉଛି ମୋହର ଘାରି
ସିଖାଇଣ ପ୍ରେମ ଥିଲ ମୋ ପ୍ରେମିକା
ବନ୍ଧୁ ହୋଇଲ କିପରି !!
ତୁମେ ଆଣିଥିଲ ପ୍ରୀତିର ଫଗୁଣ
ଶୂନ୍ଯତା ଭରି ମୋର
ଅସଜଡା ଏଇ ଜୀବନ ସଜାଡି
କାହିଁ ହେଉଅଛ ଦୂର !!
ଝି – ଦୂରେଇବା ପାଇଁ କରୁନି ମୁଁ ଦୂର
ଜିଉଛି ମୁଁ ଡରି ଡରି
କା ପାଇଁ ଏ ଦେହ କା ପାଇଁ ହୃଦୟ
ପାରୁନି ମୁଁ ସ୍ଥିର କରି !!
ଓଠ ଖୋଲି ସବୁ କହି ମୁଁ ପାରୁନି
ବୁଝ ମୋର ନିରବତା
ହୃଦୟ ତୁମକୁ ଦେଇଛି ମୁଁ ସତ
ହୋଇ ପାରୁନି ପ୍ରେମିକା !!
ପୁ – କିପରି କପଟ କରୁଛ ମୋ ସାଥେ
ଛଳନା ଡୋରରେ ବାନ୍ଧି
ଅଦୃଶ୍ଯ ସେ ନିର ଆଖିରୁ ମୋ ଝରେ
ଜୀବନ ହେଲାଣି ରୁନ୍ଧି !!
ସ୍ବପ୍ନ ଆଉ ଆଶା କେତେ ଦଖାଇଲ
ବୁଣି ପ୍ରିତୀ ମାୟାଜାଲ
ମୋ ଠାରୁ ନିଜର ଥିଲ ଯଦି କେହି
ପ୍ରେମ କାହିଁ ସିଖାଇଲ !!
ଝି – ତୁମଠୁ ନିଜର କିଏ ଅବା ଅଛି
ପ୍ରିତୀର ଆରମ୍ଭ ତୁମେ
ଶିଖାଇ ଶିଖିଲି ବୋଲି ପ୍ରେମଭାଷା
ବ୍ଯଥା ଦିଏ ମର୍ମେ ମର୍ମେ !!
ନାରୀର ନାରିତ୍ବ ଦୂନିଆଁରେ ଶ୍ରେଷ୍ଠ
ଶ୍ରେଷ୍ଠ ମୋର ଶାଳିନତା
ସଂସ୍କାର ଆଗରେ ନୂଆଁଇଛି ମଥା
ମୋର ଏହି ସ୍ବାଧିନତା !!
ପୁ – ନାରୀତ୍ବର ଦ୍ବାହି ଦିଅନାହିଁ ସକ୍ଷୀ
ମନେ ରଖି ଚଞ୍ଚକତା
ପ୍ରେମ ଯେ ମନ୍ଦିର ପ୍ରେମ ଏକ ପୂଜ
ଭାଙ୍ଗେ ନାହିଁ ଶାଳିନତା !!
ସଂସ୍କାର କାହାରି ନୂଆଁଏନି ମଥା
ସଂସ୍କାର ଯେ ମଥା ଟେକେ
ହୃଦୟରେ ମୋର ଭରି ପ୍ରତାରଣା
ବାହାନା କରୁଛ କେତେ !!
ଝି – ବାହାନା କରୁନି ଆହେ ପ୍ରିୟ ସଖା
ଲହୁ ଲୁହ ହୋଇ ଝରେ
ପ୍ରତାରଣା କାହୁଁ କିପରି କରିବି
ପ୍ରତାରିତ ହୋଇ ମରେ !!
ବୁଝିନିଅ ଥରେ ମୋର ପରିସ୍ଥିତି
କେମିତି ମୁଁ ନିରୁପାୟ
ଯେମିତି ଜଳୁଛ ତୁମେ ମୋ ପାଇଁ
ସେମିତି ଜଳେ ମୁଁ ପ୍ରାୟ !!
ପୁ – କାହିଁକି ଜଳୁଛ ମୋତେ ବା ଜାଳୁଛ
ନିରବେ ଜନ୍ତ୍ରଣା ସହି
ଫେରିଆସ ପୁଣି ମୋର ଦୁନିଆଁକୁ
ବାଟ ମୁଁ ରହିଛି ଚାହିଁ !!
ଗଢିଥିଲ ଯେଉଁ ସ୍ବପ୍ନର ମନ୍ଦିର
ଛାଡିଗଲ ତୋଳି ଅଧା
ଆଜିବି ମୋ ଘରେ ତୁମ ଅପେକ୍ଷାରେ
ବେଦୀ ହୋଇଅଛି ବନ୍ଧା !!
ଝି – ଦୁନିଆଁ ଗୋଟିଏ ତୁମର ମୋହର
ପାରିନି ଅଲଗା ହୋଇ
ଦୁଃଖର ବରଷା ହୁଏ ତୁମ ଦେଶେ
ଭିଜୁଛି ମୁଁ ଦୂରେ ରହି !!
ଏଠିବି ଗଢୁଛି ସ୍ବପ୍ନର ଘର ମୁଁ
ବେଦୀ ବି ହୋଇଛି ଅଧା
ଫରକ ଏତିକି ତୁମ ବଦଳରେ
ଆଉ କାହା ନାମେ ବନ୍ଧା !!
ପୁ – ବାନ୍ଧିତ ଦେଇଛ ଛଳନା ଡୋରରେ
ହୃଦୟ ମୋ କଷ୍ଟ ପାଏ
କେଉଁ ଆଖ୍ଯା ଦେବି ତୁମକୁ ହେ ପ୍ରିୟା
ଓଠ ଶବ୍ଦ ଶୂନ୍ଯ ହୁଏ !!
ଛଳନା ନାଆରେ ଦେଇଛ ବସାଇ
ହୃଦୟ ମୋ ଯାଏ ଭାସି
ପ୍ରତାରଣା ଝଡ ଜୀବନେ ମୋ ମେଲି
ଦେଇ ଚାଲିଗଲ ଫାସି
ଚନ୍ଦ୍ରକାନ୍ତ ଜେନା
ବଡମ୍ବା,କଟକ
ବହୁତ ସୁନ୍ଦର ଲେଖା ଚନ୍ଦ୍ରକାନ୍ତ ସାର କବିତା ଟି ହୃଦୟ ଛୁଆଁ ହୋଇଛି